ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ବଦଳୁଛି ଗାଁର ରୂପରେଖ
ରାଇରଙ୍ଗପୁର: ଆସନ୍ତା ମେ ୪ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।
ତେବେ ନିଜ ଗ୍ରାମ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ, ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ହେବାକୁ ଥିବା ସ୍କିଲ୍ ହବର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ । ବଦଳୁଛି ଗାଁର ରୂପରେଖ । କୁସୁମ ବ୍ଲକର ପାହାଡପୁର ଗାଁ । ଏଠାରେ ରହିଛି ଏସଏଲଏସ ଆବାସିକ ବିଦ୍ୟାଳୟ । ଏହି ସ୍କୁଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସଜେଇ ହେଉଛି ବିଦ୍ୟାଳୟ, ସଜେଇ ହେଉଛି ପାହାଡପୁର ।
ଜୋରସୋରରେ ଚାଲିଛି ସ୍କୁଲର ରୂପାନ୍ତରଣ କାମ । ରାସ୍ତାଘଟର ବି ମରାମତି କରାଯାଉଛି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ତାଙ୍କ ଗାଁକୁ ଆସୁଛନ୍ତି । ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ।
ସେହିପରି ରାଇରଙ୍ଗପୁରବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଅନୁରୂପ ଭାବରେ ବଢିବାରେ ଲାଗିଛି । ଯଦିଓ ରାଷ୍ଟ୍ରପତି ହେବା ପରେ ଏହା ଦୌପ୍ରଦୀ ମୁର୍ମୁଙ୍କର ତୃତୀୟ ଓଡିଶା ଗସ୍ତ । ନିଜ ଜନ୍ମମାଟିକୁ କିନ୍ତୁ ଏହା ପ୍ରଥମ ଗସ୍ତ । ଯାହାକୁ ନେଇ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ: ଆସନ୍ତା ମେ ୪ ଦିନ ଓଡିଶାରେ ପହଞ୍ଚି ସ୍ଥାନୀୟ ହାଟବାଦଡାର ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ 'ନିଶାମୁକ୍ତ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ସେଠାରୁ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ପରେ ସହରର ବଡବନ୍ଧରେ ଥିବା ସୁଉଚ୍ଚ ଓ ସୁଦୃଶ୍ୟ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରିବେ ।
ସେଠାରୁ ବାହାରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିବେ। ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମ୍ଠାରେ ମହାମହିମଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ମହୁଲଡିହାସ୍ଥ ଡାକବଙ୍ଗଳାରେ ରାତ୍ରି ଯାପନ କରିବେ ।
ପରଦିନ ଅର୍ଥାତ୍ ଆଗାମୀ ୫ ତାରିଖ ଶୁକ୍ରବାର ପୂର୍ବାହ୍ନ ୮.୪୦ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷ ଗ୍ରାମରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ଦାଣ୍ଡିବୋଷସ୍ଥିତ ହେଲିପ୍ୟାଡ୍ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଯଶିପୁରରେ ପୂର୍ବାହ୍ନ ୯.୫୦ରେ ଅବତରଣ କରିବେ। ସେଠାରୁ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିବା ସହିତ ଅପରାହ୍ନ ଅଢେଇଟା ସୁଦ୍ଧା ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡକ ଯୋଗେ ବାହାରି ଅପରାହ୍ନ ସାଢେ ଚାରିଟା ସୁଦ୍ଧା ଯଶିପୁରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ସନ୍ଧ୍ୟାରେ ବାରିପଦାରେ ଅବତରଣ କରି ଅତିଥିଭବନରେ ରାତ୍ରିଯାପନ କରିବେ ।
ଏହା ପରଦିନ ଅର୍ଥାତ୍ ଆଗାମୀ ୬ ତାରିଖ ଶନିବାର ପୂର୍ବାହ୍ନ ୧୦ଟାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସମ୍ବେଦନଶୀଳ ଜନଜାତି ସମ୍ପ୍ରଦାୟଙ୍କ ସହିତ ଭାବ ବିିନିମୟ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧.୧୫ରୁ ମଧ୍ୟାହ୍ନ ୧୨.୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications