ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମକଡ୍ରିଲ୍, ୪ରେ ମୟୂରଭଞ୍ଜ ଆସିବେ ମହାମହିମ
ରାଇରଙ୍ଗପୁର:ମେ'୪ ତାରିଖରେ ନିଜ ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମହାମହିମଙ୍କୁ ସ୍ୱାଗତ କରିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି । ସେହିପରି ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଅସ୍ଥାୟୀ ହେଲିପ୍ୟାଡରେ ହେଲା ମକଡ୍ରିଲ୍ । ରାଣିବନ୍ଧ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ୩ଟି ହେଲିକପ୍ଟରର ହେଲା ଅବତରଣ । ସୁରକ୍ଷା ଦୃଷ୍ଟିରୁ ଆଗୁଆ ପ୍ରସ୍ତୁତି ନେଇ ଚାଲିଛି ଜୋରଦାର ପ୍ରସ୍ତୁତି ।
ରାଷ୍ଟ୍ରପତି ହେବା ପରେ ଏହା ଦୌପ୍ରଦୀ ମୁର୍ମୁଙ୍କର ତୃତୀୟ ଓଡିଶା ଗସ୍ତ । ହେଲେ ନିଜ ଜନ୍ମମାଟିକୁ ଏହା ପ୍ରଥମ ଗସ୍ତ । ଯାହାକୁ ନେଇ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ
ଆସନ୍ତା ମେ ୪ ଦିନ ଓଡିଶାରେ ପହଞ୍ଚି ମ୍ୟାଡମ ପ୍ରେସିଡେଣ୍ଟ ପ୍ରଥମେ ବାଦାମପାହାଡ଼ରେ ହେଲିକପ୍ଟରରେ ଅବତରଣ କରି ନିଜ ଶ୍ୱଶୁର ଘର ପାହାଳପୁରକୁ ଯିବେ । ଏହା ପରେ ସେ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସ୍ଥାନୀୟ ହାଟବାଦଡାର ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ 'ନିଶାମୁକ୍ତ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ ।
ଏହାପରେ ସେଠାରୁ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ପରେ ସହରର ବଡବନ୍ଧରେ ଥିବା ସୁଉଚ୍ଚ ଓ ସୁଦୃଶ୍ୟ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରିବେ । ସେଠାରୁ ବାହାରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିବେ।
ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମ୍ଠାରେ ମହାମହିମଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ମହୁଲଡିହାସ୍ଥ ଡାକବଙ୍ଗଳାରେ ରାତ୍ରି ଯାପନ କରିବେ । ପରଦିନ ଅର୍ଥାତ୍ ଆଗାମୀ ୫ ତାରିଖ ଶୁକ୍ରବାର ପୂର୍ବାହ୍ନ ୮.୪୦ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ସ୍ଥାନ ଦାଣ୍ଡବୋଷ ଗ୍ରାମରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।
ଏହାପରେ ଦାଣ୍ଡିବୋଷସ୍ଥିତ ହେଲିପ୍ୟାଡ୍ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ଯଶିପୁରରେ ପୂର୍ବାହ୍ନ ୯.୫୦ରେ ଅବତରଣ କରିବେ । ସେଠାରୁ ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିବା ସହିତ ଅପରାହ୍ନ ଅଢେଇଟା ସୁଦ୍ଧା ଶିମିଳିପାଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସଡକ ଯୋଗେ ବାହାରି ଅପରାହ୍ନ ସାଢେ ଚାରିଟା ସୁଦ୍ଧା ଯଶିପୁରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାରି ସନ୍ଧ୍ୟାରେ ବାରିପଦାରେ ଅବତରଣ କରି ଅତିଥିଭବନରେ ରାତ୍ରିଯାପନ କରିବେ ।
୬ତାରିଖ ଦିନ ବାରିପଦା ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ କଲେଇକୁଣ୍ଡା ବାୟୁସେନା ଘାଟିରେ ପହଞ୍ଚି ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications