୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ: ଉତ୍ସବକୁ ଆକର୍ଷଣୀୟ କରିବାକୁ ଉନ୍ନୟନ କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବା ପାଇଁ ଯାଉଛି ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ଏନେଇ ଗତକାଲି ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
୧୯୪୭ ଏପ୍ରିଲ୍ ୧୩ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହାରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ । ଚଳିତ ବର୍ଷ ରାଜଧାନୀ ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯିବ । ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉନ୍ନୟନ କମିଶନର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଉପାଧକ୍ଷ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଖୋର୍ଦ୍ଧା ଜିଲ୍ଲାପାଳ କେ.ସୂଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ସବର ଆୟୋଜନ ସଂପର୍କରେ ମତ ରଖିଥିଲେ ।
ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି.ଏମ.ସି ତରଫରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା କରି ସବିଶେଷ ତଥ୍ୟ ରଖିଥିଲେ ।
ତିନିଦିନିଆ ଧରି ଆୟୋଜିକ ଏହି ଉତ୍ସବରେ ଏପ୍ରିଲ୍ ୧୩ ତାରିଖ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳରେ ପୁଷ୍ପଗୁଚ୍ଛ ଅର୍ପଣ, ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ, ଉତ୍ସବ ଅବସରରେ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି ।
ସେହିପରି ଏପ୍ରିଲ୍ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ତପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବି.ଏମ.ସିର ପ୍ରତ୍ୟେକ ୱାର୍ଡସ୍ତରରେ ମଧ୍ୟ ଉତ୍ସବ ପାଳନ କରାଯିବ । ୱାର୍ଡ ସଫେଇ ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲୀ,ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରାଯିବ । ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକ ଏବଂ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟାକରଣ କରାଯିବ ।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ୧୪ ତାରିଖରେ ଏକ ମାରାଥନ୍ ଏବଂ ୧୫ ତାରିଖ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସମ୍ପର୍କରେ ବି.ଏମ.ସି କମିଶନର କୁଲାଙ୍ଗେ ବୈଠକରେ ସୂଚନା ଦେଇଥିଲେ ।












Click it and Unblock the Notifications