୩ୟ ଲହରରେ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ
ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ୍ କମିଶନର ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧୀକାରୀମାନଙ୍କୁ ଆଗୁଆ ପ୍ରସ୍ତୁତି ସ୍ବରୂପ କେତେକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ୱର: ଦେଶରେ କରୋନାର ସମ୍ଭାବ୍ୟ ୩ୟ ଲହର ପରିପ୍ରେକ୍ଷୀରେ ୦-୧୮ ବର୍ଷ ଶିଶୁଙ୍କ ପାଇଁ ରହିଛି ଅଧିକ ବିପଦ । ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ୧୮ ବର୍ଷ ବୟସ୍କଙ୍କ ଏ ପର୍ଯ୍ୟନ୍ତ ଟୀକାକରଣ ଆରମ୍ଭ ହୋଇନାହିଁ । ଏଭଳି ପରିସ୍ଥିତିରେ ଅଧିକ ସଂଖ୍ୟାକ ଶିଶୁ କୋଭିଡ୍ ସଂକ୍ରମଣର ଶିକାର ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ୍ କମିଶନର ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧୀକାରୀମାନଙ୍କୁ ଆଗୁଆ ପ୍ରସ୍ତୁତି ସ୍ବରୂପ କେତେକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ୩ୟ ଲହର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି ଟାସ୍କଫୋର୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ଆନାସ୍ଥେସିଆ ବିଶେଷଜ୍ଞ ଏବଂ ୟୁନିସେଫ୍ର ପ୍ରତିନିଧି ରହିବେ । ଜିଲ୍ଲାପାଳମାନେ ଏସଂକ୍ରାନ୍ତରେ ନିଜ ନିଜ ଜିଲ୍ଲାରେ ବୈଠକ ଆୟୋଜନ କରିବେ ।
ଶିଶୁମାନଙ୍କ ଶ୍ୱାସ ସମ୍ବନ୍ଧୀୟ ସମସ୍ୟାର ସମସ୍ତ ବିବରଣୀ ସଂଗ୍ରହ କରି ସଂକ୍ରମଣ ରୋକିବା ଲାଗି ଆବଶ୍ୟକ ଅନୁସାରେ ଆର୍ଟିପିସିଆର୍ ପରୀକ୍ଷଣ କରାଯିବ । ଏହି ସୁବିଧା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଟେଷ୍ଟ ହୋଇ ନଥିଲେ ବି ମିଳିବ ଚିକିତ୍ସା ସହାୟତା
ଆର୍ଟିପିସିଆର୍ ପରୀକ୍ଷା ହୋଇନଥିଲେ ମଧ୍ୟ ଚିକିତ୍ସା ସକାଶେ ଆଡ୍ମିଶନ ପାଇଁ ରୋଗୀଙ୍କୁ ବାରଣ କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜରୁରୀ ସମୟରେ ସ୍ବାସ୍ଥ୍ୟ ସହାୟତା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ହସ୍ପିଟାଲ୍ରେ ରହିଥିବା ଆଇସିୟୁ, ପିଆଇସିୟୁ, ଏନ୍ଆଇସିୟୁ ଇତ୍ୟାଦିରେ ୫୦ ପ୍ରତିଶତ ସଂରକ୍ଷଣ ରଖିବା ପାଇଁ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଏଥି ସହିତ ସ୍ୱାସ୍ଥ୍ୟ ସଚେତନତା ଏବଂ ବିଶେଷ କରି କୋଭିଡ୍ ଅନୁରୂପ ବ୍ୟବହାର ପାଳନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।












Click it and Unblock the Notifications