ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ: ଦିନ ଗୋଟାଏ ସୁଦ୍ଧା ସେନାପଟା ଲାଗି ନୀତି
ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ଏହାପରେ ଶ୍ରୀ ମୁଖ ଖଣ୍ଡୁଆ ଓ ବାହୁଟ କଂଟ ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ । ଦିନ ଗୋଟାଏ ସୁଦ୍ଧା ସେନାପଟା ଲାଗି ନୀତି କରାଯିବ ବୋଲି କହିଛନ୍ତି ଦଇତାପତି ସେବାୟତ ।

ପରମ୍ପରା ଅନୁଯାୟୀ ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୁଜା କରୁଥିବା ବିଶ୍ୱାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା । ବର୍ଷକଯାକ ଶ୍ରୀମନ୍ଦିରକୁ ଦଇତାପତିମାନେ ଯାଇଥାନ୍ତି କିନ୍ତୁ ସ୍ନାନପୁଣ୍ଣିମା ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଥାଏ ବିଶେଷସେବା ।
ସ୍ନାନବେଦିକୁ ସୁଦୃଶ୍ୟ କରିବା ପାଇଁ ରଙ୍ଗତୂଳୀରେ ସଜ୍ଜୀକରଣ କାର୍ଯ୍ୟ ଜାରି ରହିଛି। ଅପରପକ୍ଷେ ଏତେ ସଂଖ୍ୟକ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪ ଜଣ ଏସ୍ପି, ୧୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଡିଏସ୍ପି ରୢାଙ୍କ୍ର ଅଧିକାରୀ, ୩୫ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ପୂର୍ବବର୍ଷ ଯାହା ଦର୍ଶନ ବ୍ୟବସ୍ଥା ଥିଲା, ଚଳିତବର୍ଷ ସେହି ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି।
ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିପାରନ୍ତି ଓ ପ୍ରାୟ ୭ରୁ ୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ ବୋଲି ପୂର୍ବ ଆକଳନ କରାଯାଉଛି। ଭକ୍ତଙ୍କ ଏହି ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। ବଡ଼ଦାଣ୍ଡରେ ଛାୟାପ୍ରଦ ସେଡ୍ ବ୍ୟବସ୍ଥା କରାଯାଉଛି। ଭକ୍ତମାନେ ମାର୍କେଟ୍ ଛକରୁ ଧାଡ଼ିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ।












Click it and Unblock the Notifications