ଏଥର ଜମିବ କଟକ ଦୁର୍ଗାପୂଜା
ଏଥର ଓଡିଶା ପ୍ରସିଦ୍ଧ କଟକ ଦୁର୍ଗାପୂଜା ମଧ୍ୟ ଖୁବ୍ ଧୂମଧାମରେ ପାଳନ କରାଯିବ । ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।
କଟକ: ଆରମ୍ଭ ହେଲାଣି ପାର୍ବଣ ଋତୁ । ଆଉ କେଇଟା ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ମା । ଭକ୍ତିମୟ ହେବ ସାରା ପରିବେଶ । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଫିକା ପଡିଥିବା ପାର୍ବଣ ଋତୁ ଏଥର ଜାକଯମକରେ ପାଳନ କରାଯିବ । ଏହି ଧାରାରେ ଓଡିଶା ପ୍ରସିଦ୍ଧ କଟକ ଦୁର୍ଗାପୂଜା ମଧ୍ୟ ଖୁବ୍ ଧୂମଧାମରେ ପାଳନ କରାଯିବ । ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ରବିବାର କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯାଇଛି । ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ପାଇଁ ଅନୁମତି ସହ ଭଷାଣୀରେ ସାରା ରାତି ଡାକବାଜି ଯନ୍ତ୍ର ବଜାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପୂଜା ସମୟରେ ହେଲମେଟ୍ ଚେକିଂ ସହିତ ଗାଡ଼ି ମଟର ଚେକିଂ କୋହଳ କରିବାକୁ ଶାନ୍ତି କମିଟି କମିଶନରେଟ୍ ପୁଲିସକୁ ପ୍ରସ୍ତାବ ଦେଇଛି ।
ଏହି ସଭାରେ ଦୈତନଗରୀ (ଭୁବନେଶ୍ୱର-କଟକ) ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, କଟକ ସଦର ବିଧାୟକ, ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ମହାନଗର ନିଗମ ମେୟର ସୁବାସ ସିଂ, ଡେ଼ପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣୀ ଶୋଭାଯାତ୍ରା କରାଯିବ।












Click it and Unblock the Notifications