ପ୍ରବାସୀ ଭାରତୀୟ ଦିବସ: ପ୍ରସ୍ତୁତି ଜୋରଦାର, ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୈଦେଶିକ ମନ୍ତ୍ରାଳୟ ସହଯୋଗରେ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି ।
କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରାୟ ୫ ହଜାର ପ୍ରବାସୀ ଭାରତୀୟ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ ଜାନୁଆରୀ ୮ ତାରିଖ ସନ୍ଧ୍ୟା ୭ରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ ଅବତରଣ କରିବେ । ରାତ୍ର ୮.୧୫ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ଏହା ପରଦିନ ୯ ତାରିଖରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ ପରେ ପୂର୍ବାହ୍ନ ୧୧.୫୫ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଯୋଗଦେବେ । ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ । ଏନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।
କିପରି କରାଯାଇଛି ବ୍ୟବସ୍ଥା:
ବୈଠକରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଭବନରେ ସାମୟିକ ରହଣୀ ବ୍ୟବସ୍ଥା, ସୁରକ୍ଷା, କାରକେଡ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳକୁ ଯିବା ଆସିବା ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା, ରାସ୍ତାର ପରିସ୍କାର ପରିଚ୍ଛନ୍ନତା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସହିତ ଯଥେଷ୍ଟ ସଂଖ୍ୟକ ଅତିରିକ୍ତ ଜେନେରେଟର ସୁବିଧା, ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ମଞ୍ଚ ପ୍ରସ୍ତୁତି, ଇଣ୍ଟରନେଟ ସୁବିଧା, ବେରିକେଡିଂ ବ୍ୟବସ୍ଥା, ଗଣମାଧ୍ୟମରେ ପ୍ରଚାର ପ୍ରସାର, ଆବଶ୍ୟକ ପାସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଦର୍ଶକ ଓ ଅତିଥିଙ୍କ ପାଇଁ ବ୍ୟବସ୍ଥା ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଓ ସମନ୍ୱୟ ପାଇଁ ପ୍ରତି ଥର ଭଳି ଏଥର ମଧ୍ୟ ଗୃହ ବିଭାଗ ତରଫରୁ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ।












Click it and Unblock the Notifications