PMGSY: ୫ ବର୍ଷରେ ୩୦ ହଜାର କିମି ରାସ୍ତା, ୫ ଶହ ସେତୁ ନିର୍ମାଣ
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା' ରେ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି । ଆସନ୍ତା ୫ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ କରିବେ ରାଜ୍ୟ ସରକାର । ସଡକ ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ରକ୍ଷଣା ବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉଛି । ନିମ୍ନମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ସରକାର । କଣ୍ଟ୍ରାକ୍ଟରଙ୍କ ପାଇଁ ରାଜ୍ୟ ସରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବେ । ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଆଜି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୫ ବର୍ଷରେ ୩୦ ହଜାର କିମି ରାସ୍ତା ଏବଂ ୫ ଶହ ସେତୁ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣର ଗୁରୁଦାୟିତ୍ୱ ଏହି ବିଭାଗ ଉପରେ ନ୍ୟସ୍ତ ରହିଛି । ଆସନ୍ତା ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବିଭିନ୍ନ ସ୍କିମ ଓ ବଜେଟ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତ ମାନର ଗମନା ଗମନ ସୁବିଧା ଯୋଗାଇ ଦିଆଯିବ ।"

ରାସ୍ତା ଓ ସେତୁଗୁଡିକର ଗୁଣବତ୍ତା ସହିତ ରକ୍ଷଣାବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିମ୍ନମାନର କାମ କରୁଥିବା କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପାହାଡିଆ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ଲୋକଙ୍କ ଗମନାଗମନ ପାଇଁ ଉତ୍ତମ ମାନର ରାସ୍ତା ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କଣ୍ଟ୍ରାକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଓଡିଶା ଭାରତ ବର୍ଷରେ ଚତୁର୍ଥ ସ୍ଥାନ
'ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା'ରେ ଅଦ୍ୟାବଧି ଅନୁମୋଦନ ପ୍ରାପ୍ତ ୭୩,୯୮୪.୮୮ କିଲୋମିଟର ରାସ୍ତା ମଧ୍ୟରୁ ୭୦,୭୧୧.୨୪ କିଲୋମିଟର ରାସ୍ତା ନିର୍ମାଣ କରି ଓଡିଶା ଭାରତ ବର୍ଷରେ ଚତୁର୍ଥ ସ୍ଥାନ ହାସଲ କରିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାର୍ଗଦର୍ଶିକା ଅନୁଯାୟୀ କାମ କରାଯାଉଛି । ବର୍ତ୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟର କାମ ମଧ୍ୟ ହାତକୁ ନିଆଯାଇଛି । ଏହି ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ, ଆକାଂକ୍ଷୀ ବ୍ଲକ, ନକ୍ସଲ ପ୍ରଭାବିତ ଅଞ୍ଚଳମାନଙ୍କରେ ସଡକ ଓ ସେତୁ ନିର୍ମାଣ କରାଯିବ । ଚତୁର୍ଥ ପର୍ଯ୍ୟାୟରେ ୧,୦୨୧ଟି ଯୋଗାଯୋଗ ବିହୀନ ଜନବସତି ପାଇଁ ୯୪୨ଟି ସଡକ ଓ ୮ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
ପିଏମ ଜନମନ ଯୋଜନା
ସେହିଭଳି ୧୦୦ରୁ ଅଧିକ PVTG ବର୍ଗର ଜନବସତି ଗୁଡିକର ସଂଯୋଗୀ କରଣ ପାଇଁ ପିଏମ ଜନମନ ଯୋଜନାରେ ୭୩ଟି ଗ୍ରାମରେ ୬୬ଟି ରାସ୍ତା ଓ ୪ଟି ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୫୦୦.୩୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୪୬୯.୯୪ କୋଟି ଟଙ୍କା ବ୍ୟୟ ବରାଦରେ ୫୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି । ସେତୁ ବନ୍ଧନ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୬ଟି ସେତୁ ନିର୍ମାଣ କରାଯାଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ ଟି ସେତୁ ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଛାତ୍ରାବାସ, ମହାବିଦ୍ୟାଳୟ ଗୃହ ନିର୍ମାଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ, କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।
୨୦୨୪-୨୫ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୪୫୧ଟି ବିଭିନ୍ନ କୋଠାବାଡି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୨୯ଟି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବୈଠକରେ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ୟାମିନୀ ଷଡଙ୍ଗୀ, ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ ଏବଂ ଇଂ ପ୍ରଦୀପ କୁମାର ଜେନା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।












Click it and Unblock the Notifications