ଜାଣନ୍ତୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ରାଜନୈତିକ ଯାତ୍ରା ବିଷୟରେ
ଭୁବନେଶ୍ୱର: ଘୋଷଣା ହୋଇଛି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋହନ ମାଝୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି ବିଜେପି ।
ତେବେ ଏହି ଦୁଇ ନାଁ ଭିତରୁ ପ୍ରଭାତୀ ପରିଡାଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି । ତେବେ ଆସନ୍ତୁ ଜାଣିବା ପ୍ରଭାତୀ ପରିଡାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
୫୭ବର୍ଷୀୟା ପ୍ରଭାତୀ ବିଜେପିର ଜଣେ ଆଗଧାଡ଼ିର ମହିଳା ଓ ଓବିସି ଚେହେରା । ପ୍ରଥମଥର ପାଇଁ ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କ ଶାଶୁଘର ନିମାପଡ଼ାର ତେରୁଣ୍ଡିଆ ଗାଁରେ । ପ୍ରଭାତୀ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେହିବର୍ଷ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍ ଭାବେ ନିଜକୁ ପଞ୍ଜିକୃତ କିରଥିଲେ ।

୨୦୦୫ ମସିହାରେ ସେ ପବ୍ଲିକ ଆଡମିନିଷ୍ଟ୍ରେସନରେ ପିଜି କରିଥିଲେ । ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପାଦ ଥାପିଥିଲେ । ସେ ପ୍ରଥମେ ୨୦୦୯ରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୯ରେ ବି ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ ।
ତେଣୁ ୨୦୨୪ରେ ବି ଦଳ ତାଙ୍କୁ ଭରସା କରି ଟିକେଟ ଦେଇଥିଲା ଆଉ ସେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାଏକଙ୍କୁ ୪ ହଜାର ୫୮୮ ଭୋଟରେ ସେ ହରାଇଥିଲେ । ଆଉ ଜିତୁ ଜିତୁ ଦଳ ତାଙ୍କୁ ଉପହାର ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି ।












Click it and Unblock the Notifications