Prabasi Bharatiya Divas: ପରସା ଯିବ ନିମାପଡ଼ା ଝିଲି ଓ ଖାଇବେ କଟକ ଦହିବରା, ଡିନରରେ ମାଣ୍ଡିଆ
ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଜନତା ମଇଦାନରେ ସକାଳ ୧୦ ଟାରୁ ସମ୍ମିଳନୀ ଆରମ୍ଭ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଶତାଧିକ ପ୍ରବାସୀ ଭାରତୀୟ ଆସି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏକାଠି ହେବେ ବିଶ୍ବରୁ ୪ ହଜାର ପ୍ରବାସୀ ଭାରତୀୟ । ୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେବାର କାର୍ଯ୍ୟକ୍ରମ ରହଛି ।
ପ୍ରବାସୀ ଭାରତୀୟଙ୍କୁ ଓଡ଼ିଆ ଖାଦ୍ୟ ପରସା ଯିବ । ସନ୍ତୁଳା, ଡାଲମାଠୁ ଆରମ୍ଭ କରି ନିମାପଡ଼ା ଝିଲି ଓ କଟକ ଦହିବରା ଖାଇବେ ପ୍ରବାସୀ ଭାରତୀୟ । ପ୍ରତି ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବ ହୋଟେଲ୍ ମେ'ଫେୟାର। ହେଲେ ଯେଉଁମାନେ ଚାହିଁବେ ସେମାନେ ୱେଷ୍ଟର୍ନ, ଆସିଆନ ଓ ନର୍ଥ ଇଣ୍ଡିଆନ ଖାଦ୍ୟ ବି ଖାଇପାରିବେ।

ଜନତା ମଇଦାନରେ ପ୍ରବାସୀଙ୍କ ଗହଳି ୩ ଦିନ ଲାଗିବ ରହିବ । ଦିନରାତି ଜମିବ ବିଭିନ୍ନ କାର୍ଯ୍ୟକ୍ରମ । ଆଉ ସେଇଠି ଅତିଥି ସତ୍କାର ମଧ୍ୟ କରାଯିବ। ଲଞ୍ଚ ଓ ଡିନର ବ୍ୟବସ୍ଥାରେ ଖାସ୍ ଓଡ଼ିଆ ଖାଦ୍ୟ ପରସା ଯିବ । ଓଡ଼ିଆ ଖାଦ୍ୟରେ ଖାସ୍ ରହିବ କଦଳୀ ମଞ୍ଜା ସୁପ୍, ଛତୁ ବାଟି ବସା, ଛତୁ ବରା, ସନ୍ତୁଳା, ଡାଲମା, ଟମାଟୋ ଚଟଣୀ, ମାଛ ବେସର, ମାଟି ହାଣ୍ଡି ଖାସି ମାଂସ, କୁକୁଡ଼ା କସା ଭଳି ଅନେକ ପ୍ରକାର ବ୍ୟଞ୍ଜନ ରହିଛି । ଏହା ସହିତ ପ୍ରବାସୀଙ୍କ ପାଇଁ ମାଣ୍ଡିଆର ବି ଅନେକ ଖାଦ୍ୟ ରହିବ । ସକାଳ ଜଳଖିଆ ପ୍ଲେଟରୁ ଆରମ୍ଭ କରି ଲଞ୍ଚ ଓ ଡିନରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ସରକାର ।
ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଭଳିକି ଭଳି ପିଠା ଓ ମିଠାର ଆୟୋଜନ କରାଯାଇଛି । ଛେନାପୋଡ଼, ପାହାଳ ରସଗୋଲା, ରସାବଳୀ, ମଗଜ ଲଡୁ, ପୁରୀ ଖଜା ଭଳି ମିଠାର ମଜା ନେଇଛନ୍ତି ଭୁବନେଶ୍ୱର ଆସିଥିବା ପ୍ରବାସୀ ଭାରତୀୟ ।












Click it and Unblock the Notifications