ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ; କେଜି ଛୁଇଁଲା ୬୦, କଟକ ଛତ୍ରବଜାର, ଭୁବନେଶ୍ବର ଆଇଗିଣିଆ ଗୋଦାମରେ ସଂକଟ
ୟୁପିରୁ ଆସୁନି, ବେଙ୍ଗଲ ଛାଡୁନି। ପୁଣି ସାରା ରାଜ୍ୟରେ ଆଳୁ ଦରରେ ନିଆଁ । କେଜି ଛୁଇଁଲା ୬୦ । କଟକ ଛତ୍ରବଜାର, ଭୁବନେଶ୍ବର ଆଇଗିଣିଆ ଗୋଦାମରେ ସଂକଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନେଇଲା ସଂକଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଅଭାବ । କଟକ, ଭୁବନେଶ୍ବରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ିଲା।

ବିଗତ ୨ ଦିନ ହେବ ଆଳୁ ଗାଡ଼ି ନଆସିବାରୁ ରାଜ୍ୟରେ ଆଳୁର ଅଭାବ ଦେଖିବାକୁ ମିଳିଛି । ଯେଉଁ କିଛି ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି । ରାଜ୍ୟରେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁର ଗ୍ରହଣୀୟତା ନଥିବାରୁ ବ୍ୟବସାୟୀ କ୍ଷତି ସହୁଛନ୍ତି । ଆମ ପାଖରେ ଆଉ ୧୭ ଟନ ଆଳୁ ବିଭିନ୍ନ ଶୀତଳ ଭଣ୍ଡାରରେ ମହଜୁଦ ରହିଛି । ଯାହା ୩ ଦିନ ପର୍ଯ୍ୟନ୍ତ ଆଳୁର ଆବଶ୍ୟକତା ପୂରଣ କରି ପାରିବ । ସରକାର ବିକଳ୍ପ ବ୍ୟବସ୍ଥା ନକଲେ ରାଜ୍ୟବାସୀ ଆଳୁ ଦେଖିବାକୁ ପାଇବେ ନାହିଁ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ।
ଏପଟେ ପଞ୍ଜାବରୁ ଆସିବ ଆଳୁ। ଗତକାଲି ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଥିଲେ ଯେ ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ। ତେବେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ଲାକମେଲ୍ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଥିଲେ ମନ୍ତ୍ରୀ।












Click it and Unblock the Notifications