ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ ବିଶ୍ୱାଳ
ପୁରୀ: ପଞ୍ଚଭୂତରେ ଲୀନ ହେଲା ସହିଦ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ସତ୍ୟବାଦୀ ଖଣ୍ତାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଖଣ୍ତାୟତସାହିରେ ଶୋକାକୂଳ ପରିବେଶ । ଗାର୍ଡ ଅଫ ଅନର ଦିଆଯିବା ପରେ ସମ୍ପୁର୍ଣ୍ଣ ହେଲା ଶେଷକୃତ୍ୟ ।
ଆଜି ସକାଳ ୭ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିଥିଲା ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ସେଠାରେ ପ୍ରଥମେ ପ୍ରଶାସନ ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ରାଜ୍ୟପାଳ ଗଣେଶୀ ଲାଲ । ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ତା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଥିଲେ ।
ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସିଙ୍ଗୀତା ମଧ୍ୟ ବିମାନବନ୍ଦରେ ପହଁଞ୍ଚି ସ୍ୱାମୀଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଯାହାପରେ ଦେବାଶିଷଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ସତ୍ୟବାଦୀ ବ୍ଲକ ଖଣ୍ତାୟତ ସାହି ଅଭିମୁଖେ ନିଆଯାଇଥିଲା । ଏକ ବିରାଟ ଶୋଭାଯାତ୍ରାରେ ସହିଦ ବୀର ପୁତ୍ରଙ୍କ ଶରୀର ନିଜ ଜନ୍ମ ଭୂମିରେ ପହଁଞ୍ଚିଥିଲା ।
ଦେବାଶିଷ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ଗାଁ । ଶେଷରେ ସମସ୍ତଙ୍କ ଆଖିରେ ଲୁହ ଦେଇ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ବୀର ପୁତ୍ର ଦେବାଶିଷ ବିଶ୍ୱାଳ । ସୂଚନାଥାଉ ଯେ, ସେନାର ୫ ରାଷ୍ଟ୍ରୀୟ ରାଇଫଲ୍ସରେ ନିଯୁକ୍ତି ପାଇଥିଲେ ଦେବାଶିଷ ବିଶ୍ୱାଳ । ସେ ଜମ୍ମୁ-କଶ୍ମୀର ପୁଞ୍ଚରେ ପୋଷ୍ଟେଡ୍ ହୋଇଥିଲେ । ତାଙ୍କର ଏକ ୭ ମାସର କନ୍ୟା ରହିଛି । ୨୦୨୧ ମସିହାରେ ସେ ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ ।












Click it and Unblock the Notifications