ପଦ୍ମପୁର ରାଜନୈତିକ ଫାଇଟର ଇତିହାସ: ଜାଣନ୍ତୁ, କିଏ କେବେ ମାରିଥିଲେ ବାଜି ?
ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।
ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ପଦ୍ମପୁର । ପୂର୍ବରୁ ଏହି ଧାନସଭା ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଲୋକସଭା ଅଞ୍ଚଳ ଅଧୀନରେ ଥିବା ବେଳେ ବର୍ତ୍ତମାନ ନୂତନ ବରଗଡ ଲୋକସଭା ମଣ୍ଡଳୀରେ ରହିଛି । ଏଠାରେ ୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।

୨୦୧୪ ବିଧାନ ସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହେଇଥିଲେ । ସେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । କିନ୍ତୁ ୨୦୧୯ ରେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ପୁଣିଥିରେ ବାଜି ମାରି ନେଇଥିଲେ । ତେବେ ବିଜୟ ସିଂହ ବରିହା ( ପୂର୍ବତନ ପଦ୍ମପୁର ଜମିଦାରଙ୍କ ବଂଶଜ ) ଏହି ନିର୍ବାଚନ ମଣ୍ଡଳୀକୁ ୪ ଥର ପ୍ରତିନିଧିତ୍ୱ କରିଛନ୍ତି । ଲାଲ ରଣଜିତ ସିଂ ବରିହାଙ୍କ ପିତା ରାଜେନ୍ଦ୍ର ସିଂ ବରିହା ପ୍ରାକ୍ ସ୍ବାଧୀନତା ପ୍ରଥମ ବିଧାନସଭା ୧୯୩୭ରେ କନିକା ରାଜା ନେତୃତ୍ବରେ ପରିଚାଳିତ ୟୁନାଇଟେଡ଼ ପ୍ରାର୍ଥୀ ଭାବରେ ପଶ୍ଚିମ ବରଗଡ଼ରୁ ଲଢ଼ି କଂଗ୍ରେସ ପ୍ରାର୍ଥୀ ସମ୍ବଲପୁର କଂସାରୀପଡ଼ାର ସ୍ବାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ଲାଠଙ୍କଠାରୁ ପରାସ୍ତ ହୋଇଥିଲେ।
ତେବେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ରେ ହେଲା ଓ ପଦ୍ମପୁର (ଦ୍ବୈତ) ବିଧାନସଭା ଆସନରୁ ଶ୍ରୀ ବରିହା ବିଜୟ ହାସଲ କରିବା ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ସେ ରାଞ୍ଚି ଡାକ୍ତରଖାନାରେ ପରଲୋକ ଗମନ କରିଥିଲେ। ଏହାପରେ ତାଙ୍କ ସ୍ତ୍ରୀ ଓ ଝିଅ ଭାରତ ଛାଡ଼ି ଲଣ୍ଡନ ପଲାଇଗଲେ। ତେଣୁ, ପଦ୍ମପୁରରେ ପ୍ରଥମ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଡିସେମ୍ବର ୫ ତାରିଖରେ ଦ୍ବିତୀୟ ଉପନିର୍ବାଚନ ଅନୁଷ୍ଠିତ ହେବ।
୧୯୫୧
୧୯୫୧-୫୧ ମସିହାର ପ୍ରଥମ ସାଧାରଣ ନିର୍ବାଚନ ସମୟରେ ପଦ୍ମପୁରରେ ଦ୍ବୈତ ବିଧାନସଭା ଆସନ ଥିଲା। ନିର୍ବାଚନରେ ସମୁଦାୟ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଲାଲ ରଣଜିତ ସିଂ ବରିହା (କଂଗ୍ରେସ) ୧୭,୬୩୬ ଓ ଅନିରୁଦ୍ଧ ମିଶ୍ର(ସ୍ବାଧୀନ) ୭,୯୭୯ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତେବେ ଲାଲ ରଣଜିତ ସିଂ ବରିହାଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଉପନିର୍ବାଚନରେ ବୀର ବିକ୍ରମାଦିତ୍ୟ ସିଂ ବରିହା(କଂଗ୍ରେସ) ୧୭,୨୪୩ ଖଣ୍ଡ ଭୋଟରେ ବିଜୟ ହୋଇଥିଲେ ।
୧୯୫୭ ନିର୍ବାଚନ
୧୯୫୭ ମସିହା ନିର୍ବାଚନ ସମୟରେ ବି ପଦ୍ମପୁର ଦ୍ବୈତ ବିଧାନସଭା ଆସନ ଥିଲା। ଏହି ନିର୍ବାଚନରେ ବୀର ବିକ୍ରମାଦିତ୍ୟ ସିଂହ ବରିହା (କଂଗ୍ରେସ) ୧୨,୫୨୯ ଖଣ୍ଡ ଭୋଟ ଓ ଏଲ.ଏମ.ଏସ. ବରିହା (ଗଣ ପରିଷଦ) ୧୦,୩୩୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।
୧୯୬୧ ନିର୍ବାଚନ
୧୯୬୧ ମସିହାରେ ବିଜୟ ହାସଲ କରି ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ବୀରେନ ମିତ୍ରଙ୍କ ମନ୍ତ୍ରିମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏହି ନିର୍ବାଚନରେ ସେ ୭୭୦୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଲାଲ ମିତ୍ରୋଦୟ ବରିହା(ଗ.ପ) ୬୫୭୩ ଖଣ୍ଡ ଭୋଟ ପାଇଥିଲେ।
୧୯୬୭ ନିର୍ବାଚନ
ଜନ କଂଗ୍ରେସ ଦଳର ପ୍ରାର୍ଥୀଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବୀର ବିକ୍ରମାଦିତ୍ୟ ବିଜୟ ହାସଲ କରିଥିଲେ। ସେ ସମୁଦାୟ ୮,୧୦୭ ଖଣ୍ଡ ଭୋଟ୍ ପାଇଥିଲେ।
୧୯୭୧ ନିର୍ବାଚନ
ଏହି ସମୟରେ କଂଗ୍ରେସ(ଜେ)ର ଡାକ୍ତର କୃପାସିନ୍ଧୁ ଭୋଇ ୧୦,୪୧୬ ଖଣ୍ଡ ଭୋଟ ପାଇ ନିର୍ବାଚିତ ହେବାସହିତ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ।
୧୯୭୪ ନିର୍ବାଚନ
ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଡା.କୃପାସିନ୍ଧୁ ଭୋଇ ୧୮୪୨୪ ଖଣ୍ଡ ଭୋଟପାଇ ପୁନର୍ବାର ବିଜୟ ହାସଲ କରିଥିଲେ ।
୧୯୭୭ ନିର୍ବାଚନ
ଜରୁରୀକାଳୀନ ପରିସ୍ଥିତି ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନର ଫଳାଫଳ ଜନତା ପାର୍ଟି ସପକ୍ଷରେ ଯାଇଥିଲା। ଜନତା ପାର୍ଟିର ପ୍ରାର୍ଥୀ ବୀର ବିକ୍ରମାଦିତ୍ୟ ସିଂ ବରିହା ୧୫୨୬୦ ଭୋଟ ପାଇ ନିର୍ବାଚିତ ହୋଇଥିଲେ।
୧୯୮୦ ନିର୍ବାଚନ
କଂଗ୍ରେସ (ଇନ୍ଦିରା) ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୫୪୭୮ ଭୋଟ ପାଇବା ବିଜୟୀ ହୋଇଥିଲେ ।
୧୯୮୫ ନିର୍ବାଚନ
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବିଜୟ ଲାଭ କରି ସରକାରୀ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ। ନିର୍ବାଚନରେ ସେ ସମୁଦାୟ ୨୮,୭୫୩ ଖଣ୍ଡ ଭୋଟ ପାଇଥିଲେ ।
୧୯୯୦ ନିର୍ବାଚନ
ଏହି ନିର୍ବାଚନରେ ବିଜୟ ସିଂ ବରିହା ପ୍ରଥମେ ବିଜୟ ହାସଲ କରି ରାଜନୈତିକ ଜୀବନର ଏକ ବୃହତ୍ ସୋପାନରେ ପାଦ ଥାପିଥିଲେ। ସେ ଜନତାଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଏବଂ ୪୮୨୧୭ ଭୋଟ ପାଇଥିଲେ।
୧୯୯୫ ନିର୍ବାଚନ
ଜନତା ଦଳ ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା ୫୯୭୧୪ ଖଣ୍ଡ ଭୋଟ ପାଇ ଦ୍ବିତୀୟଥର ପାଇଁ ବିଜୟୀ ହୋଇଥିଲେ।
୨୦୦୦ ନିର୍ବାଚନ
ପୂର୍ବରୁ ମନ୍ତ୍ରୀ ଓ ବିଧାୟକ ଥିବା ବୀର ବିକ୍ରମାଦିତ୍ୟ ସିଂ ବରିହା ସ୍ବାଧୀନ ପ୍ରାର୍ଥୀ ଭାବେ ପୁନଃପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୫୮୩ ଖଣ୍ଡ ଭୋଟ ପାଇଥିଲେ।
୨୦୦୪ ନିର୍ବାଚନ
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ବିଜେଡି ପ୍ରାର୍ଥୀ ବିଜୟ ସିଂହ ବରିହାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ଶ୍ରୀ ବରିହାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।
୨୦୦୯ ନିର୍ବାଚନ
୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥରକ ପୁଣିଥରେ ବିଜେଡି ପ୍ରାର୍ଥୀ ବିଜୟ ସିଂହ ବରିହା ବିଜୟୀ ହୋଇଥିଲେ। ସେ ସମୁଦାୟ ୬୭,୮୫୮ ଖଣ୍ଡ ଭୋଟ୍ ପାଇଥିଲେ।
୨୦୧୪ ନିର୍ବାଚନ
ବିଜେପି ବିଜୟ ହାସଲ କରି ପ୍ରଥମକରି ନିର୍ବାଚନଣ୍ଡଳୀରେ ଖାତା ଖୋଲିଥିଲା। ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୮୯୪୨ ଭୋଟ ପାଇ ନିର୍ବାଚିତ ହୋଇଥିଲେ।
୨୦୧୯ ନିର୍ବାଚନ
୫ ଜଣ ପ୍ରାର୍ଥୀ ଥିଲେ ୨୨୩୪ ଭୋଟ ନୋଟାରେ ପଡ଼ିଲା। ଶ୍ରୀବରିହା ୮୩୨୯୯ ଭୋଟ(୪୧.୨୯ %) ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ୭୭୫୬୫ ଭୋଟ(୩୮.୪୫%), କଂଗ୍ରେସର ସତ୍ୟଭୂଷଣ ସାହୁ ୩୨୭୮୭ ଭୋଟ(୧୬.୨୫%), ବିଏସପିର ଟଙ୍କଧର କଣ୍ଟା ୧୩୩୨ ଭୋଥଟ (୦.୬୫%) ଓ ସ୍ବାଧୀନ ରାଜୁ ଘିବାଲା ୪୫୨୧ ଭୋଟ୍ (୨.୨୪%) ପାଇଥିଲେ।












Click it and Unblock the Notifications