ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି କଲା ପୋଲିସ
କିଟ୍ ତାତି ନ ଥମୁଣୁ ପୁଣି ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସନ୍ଦେହଜନକ ପରିସ୍ଥିତିରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ଜବତ ହୋଇଛି। ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ମୃତଦେହ ଜବତ ହୋଇଥିବା ସୂଚନା ମିଳିଛି। ମୃତଛାତ୍ର କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷର ଛାତ୍ର। ଛାତ୍ର ଜଣଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ, ଘର ପଶ୍ଚିମବଙ୍ଗ ବାଁକୁରା।

ନିକଟରେ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସାରା ବିଶ୍ୱରେ ନିନ୍ଦିତ ହୋଇଥିଲା ଓଡ଼ିଶା। ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲପରେ ରାଜନୀତି ସରଗରମୁ ହୋଇଥିଲା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ତୁରନ୍ତ ସାଇନ ଏ ଡାଏ ଘୋଷଣା କରିବା ସହିତ ଏଠାରେ ଅଧ୍ୟୟନରତ ନେପାଳର ଶତାଧିକ ଛାତ୍ରୀଛାତ୍ରଙ୍କୁ ଶିକ୍ଷାନୁଷ୍ଠାନ ଛାଡ଼ିବାକୁ ବାଧ୍ୟ କରିଥିଲେ।
ଏପରି କି ପିଲାମାନଙ୍କୁ ବଳପୂର୍ବକ ଶିକ୍ଷାନୁଷ୍ଠାନର ବସରେ ବସାଇ କଟକ ରେଳ ଷ୍ଟେଶନରେ ଛାଡ଼ି ଦେଇଥିବା ମଧ୍ୟ ଦେଖୁବାକୁ ମିଳିଥିଲା। ଏହାରି ମଧ୍ୟରେ KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା ।
ଫେବୃଆରୀ ଶେଷ ସପ୍ତାହରେ ପରୀକ୍ଷା ଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଛାତ୍ରୀଛାତ୍ର ଏବଂ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଏପରି କି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଘଟଣାର ସମାଧାନ ପାଇଁ କୂଟନୈତିକସ୍ତରରେ ଆଲୋଚନା କରାଯାଉଛି ବୋଲି କହିଥିଲେ। ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରାଯିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେପାଳୀ ଛାତ୍ରୀଛାତ୍ରଙ୍କୁ ଫେରି ଆସି କ୍ଲାସରେ ଯୋଗଦେବାକୁ ନିବେଦନ କରିଥିଲେ।












Click it and Unblock the Notifications