ଆଇପିଏସ୍ ଆଶିଷ ସିଂଙ୍କୁ ନେଇ ଏମିତି କହିଲେ ପୋଲିସ ଡିଜି
ଆଇପିଏସ ଆଶିଷ ସିଂଙ୍କୁ ନେଇ ମୁହଁ ଖୋଲିଲେ ପୋଲିସ ଡିଜି । କହିଲେ, ଆଶିଷ ଗତ ଜୁନ ୩ ତାରିଖ ଠାରୁ କାର୍ୟ୍ୟରେ ଯୋଗଦାନ କରିଛନ୍ତି । ଏମିତିକି ଗତ ୧୭ ତାରିଖରେ ପୋଲିସ ଡିଜି କ୍ୟାମ୍ପ ଅଫିସରେ ଚାଲିଥିବା ଆଇନ୍ ସଂଶୋଧନ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

ସେ ତାଙ୍କର ଡ୍ୟୁଟି ଯୋଗଦାନ ରିପୋର୍ଟ siw ରେ ଦେଇଛନ୍ତି । ସମନ୍ଵୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରି ନାହିଁ । ଏବେ ଗୃହ ବିଭାଗକୁ ଏ ନେଇ ଅବଗତ କରାଇ ଦିଆଯାଇଛି ।ଆଇପିଏସ୍ ଆଶିଷ ସିଂଙ୍କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ତାଙ୍କ ଉପସ୍ଥିତିକୁ ନେଇ ଗୃହ ବିଭାଗ ଚିଠି କରିବା ପରେ ଏନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।
ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କେନ୍ଦ୍ରଂଚାଳ ଆଇଜି ପଦରୁ ହଟାଯାଇଥିଲା । ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ୱ ନଦେବା ପାଇଁ କମିସନ କହିଥିଲେ । ଏହା ପରେ ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ତେବେ ମେ' ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟିରେ ଯାଇଥିଲେ । ଛୁଟିରେ ରହି ସେ ବିଜେଡି ପାଇଁ କାମ କରୁଥିବାର ଅଭିଯୋଗ ପୁଣି କମିସନଙ୍କ ନିକଟରେ ପହଞ୍ଚିିଥିଲା ।
ଏହା ପରେ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ଏମ୍ସରେ ଏକ ୬ ଜଣିଆ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଏହି ଟିମ୍ ରିପୋର୍ଟ ଦେଇଥିଲେ । କମିସନ ଏହି ରିପୋର୍ଟକୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ସହ ଶ୍ରୀ ସିଂହଙ୍କ ବିରୋଧରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିସ୍ କରିଥିଲେ । କିନ୍ତୁ ଏହାପରେ ଆଶିଷ ସିଂହଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।












Click it and Unblock the Notifications