ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି, କଲେ ସ୍ଥିତି ସମୀକ୍ଷା
ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ।
ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ । ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି । ଡିଜି BSF କ୍ୟାମ୍ପରେ ପହଂଚି ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ ।
ତେବେ ସ୍ଥିତି ସମୀକ୍ଷା ପରେ ଡିଜିପି ଅଭୟଙ୍କ ପ୍ରତିକ୍ରିୟା । ସ୍ବାଭିମାନ ଅଞ୍ଚଳରେ ମାଓ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ୧୦ ବର୍ଷ ଭିତରେ କୋରାପୁଟରେ ସର୍ବାଧିକ ଗଞ୍ଜେଇ ଜବତ ହୋଇଛି । ଗତବର୍ଷ ୬୧୮ କୁଇଣ୍ଟାଲ ଓ ଏବର୍ଷ ୧୨୯୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ବୋଲି ଉତ୍ତର ରଖିଛନ୍ତି ପୋଲିସ ଡିଜି ।

ଶେଷରେ ଟ୍ରାଇଜଙ୍କସନ ଗ୍ରସ୍ତ କରିଥିଲେ ଅଭୟ । ସେଠାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହି ଅଞ୍ଚଳରେ ଛତିଶଗଡି ମାଓବାଦୀଙ୍କ ଗତିବିଧି ବଢୁଛି ବୋଲି ସେ ଚିନ୍ତା ପ୍ରକଟ କରିଥିଲେ । ଏହି ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ସେ କହିଛନ୍ତି ।
ସେହିଭଳି ନାବାଳିକା ନିଖୋଜ ନେଇ ଡିଜିପି ନିଜ ମତ ରଖିଛନ୍ତି । ଗତ ଦୁଇ ତିନିମାସ ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ଏକ SOP ପ୍ରସ୍ତୁତ କରାଯାଇଛି । ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ନାବାଳିକା ବଳତ୍କାର ମାମଲା ନେଇ କହିଲେ ତଦନ୍ତ ଚାଲିଛି । ତଦନ୍ତରେ ଯେଉଁମାନଙ୍କ ସଂପୃକ୍ତି ବାହାରିବ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଥାଉ କି, ଗତକାଲି ସ୍ୱାଭିମାନ ଅଂଚଳର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଗାଜୁଲମାମୁଡ଼ି ପଂଚାୟତର ସୁନାରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହଁମୁହି ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।












Click it and Unblock the Notifications