ପରିବାର ଉଜାଡ଼ିଦେଲା ବିଷାକ୍ତ ସାପ; ଶୋଇଥିବା ବେଳେ ସାପ କାମୁଡାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ
ପରିବାର ଉଜାଡ଼ିଦେଲା ବିଷାକ୍ତ ସାପ । ଦେବଗଡ଼ ଜିଲ୍ଲା ଜାଙ୍ଗଲିକୁଦରେ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସର୍ବେଶ୍ବର ଦେହୁରୀଙ୍କ ଦୁଇ ପୁଅ ସୌଭାଗ୍ୟ ଦେହୁରୀ ଏବଂ ଗୌରାଙ୍ଗ ଦେହୁରୀ । ଉଭୟ ଦିବ୍ୟାଙ୍ଗ ନାବାଳକ।
ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ହୋଇଥିବା ସୂଚନା ମିଳିଛି ।ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଭାଇଙ୍କ ମୃତ୍ୟୂ ହୋଇଥିବା ଜଣାପଡିଛି । ରାତିରେ ଘର ଚଟାଣରେ ଶୋଇଥିବା ବେଳେ ଚିତି ସାପ କାମୁଡ଼ି ଦେଇଥିଲା ।

ଗତକାଲି ରାତିରେ ଘର ଭିତରେ ଚଟାଣରେ ଶୋଇଥିବା ବେଳେ ରାତି ପ୍ରାୟ ୪ଟା ସମୟରେ ଏହି ଅଘଟଣ ଘଟିଛି। ତୁରନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମା ଭାବିଥିଲା ଦୁଇ ପୁଅ ଠିକ୍ ହୋଇଯିବେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା।
ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ସାନଭାଇ ସୌଭାଗ୍ୟର ମୃତ୍ୟୁ ହୋଇଥିଲା । ଆଉ କିଛି ସମୟ ପରେ ବଡ ଭାଇ ଗୌରାଙ୍ଗକୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ପୁରା ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ସର୍ଗିଗୁଡ଼ା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଭାଇ ଘରକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ ଘଟିଛି।
ଗତ ୨୩ ତାରିଖରେ କେନ୍ଦୁଝର ନିଶ୍ଚିନ୍ତପୁରର ଏକ କୋଚିଂ ସେଣ୍ଟରରେ ଏପରି ଏକ ଘଟଣା ଘଟିଥିଲା । ଶୋଇଥିବା ବେଳେ ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା ।












Click it and Unblock the Notifications