ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା: ମିଳିବ ପ୍ରାୟ ୫୦୦ କୋଟି ଟଙ୍କା
ରାଜ୍ୟରେ ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଛାତ୍ରଛାତ୍ରୀଙ୍କ ଉନ୍ନତି ଆଣିବା ଲକ୍ଷ୍ୟରେ ଶନିବାର ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ-ଉଷା)କୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।
ସ୍ୱାୟତ୍ତ ଶାସନ ଦିବସ'ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦- ୪୦ ଅନୁପାତରେ ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ସ୍ୱୀକୃତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ରହିଛି ।

ନିଜର ରାଜନୈତିକ ପ୍ରତିବାଦକୁ ଜାହିର କରିବା ପାଇଁ ପୂର୍ବ ସରକାର ଏହି ଯୋଜନା ଲାଗୁ ନକରିବା ବିଡମ୍ବନାର ବିଷୟ ଥିଲା । ତେବେ ନୂଆ ଓଡ଼ିଶା ସରକାରଙ୍କ ସହ ଆଜି ଏମଓୟୁ ବ୍ୟକ୍ତିଗତ ଭାବେ ସନ୍ତୋଷର କ୍ଷଣ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ପିଏମ୍-ଉଷା ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଆକାଂକ୍ଷୀ ଜିଲ୍ଲା, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି । ପିଏମ ଉଷା ଯୋଜନାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଇତ୍ୟାଦି ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଅନୁଦାନ ଆସିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ । ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି । ଅର୍ଥାତ୍ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି । ବୌଦ୍ଧିକ ଶକ୍ତିର ଅଧିକାରୀ ହେବା ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର । ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ - ୨୦୨୦କୁ ପୁଣି ଥରେ ସଂଶୋଧନ କରି ୟୁଜିସିର ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନର ସ୍ୱାୟତ୍ତତା ଓ ସ୍ୱତନ୍ତ୍ରତାକୁ ବଜାୟ ରଖିବା ଦିଗରେ ଓଡ଼ିଶା ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେପରି ବୈଶ୍ୱିକ ସ୍ତରରେ ନେତୃତ୍ୱ ନେବ, ଏହା ଆମର ସଂକଳ୍ପ । ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ଉଜ୍ଜ୍ୱଳ ହେବା ନେଇ କେନ୍ଦ୍ରମନ୍ତ୍ରୀ କାମନା କରିଛନ୍ତି ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ବଣ୍ତାଘାଟିର ମଙ୍ଗଳା ମୁଦୁଲିଙ୍କ ଉଦାହରଣ ଦେଇଥିଲେ । ମଙ୍ଗଳା ମୁଦୁଲିଙ୍କ ପରି ବଣ୍ଡା, ଗରିବ, ଆଦିବାସୀ ପିଲାମାନେ ଯେପରି ଆଗକୁ ବଢିବେ ସେପରି ଶିକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ଦରକାର ବୋଲି ବୋଲି ସେ କହିଥିଲେ ।
ଉଲ୍ଲେଖନୀୟ ଯେ, ପିଏମ୍ ଉଷା ଯୋଜନା ଏମଓୟୁ ସ୍ୱାକ୍ଷର ସମାରୋହରେ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।












Click it and Unblock the Notifications