ପୁରୀ ଓ କଟକ ରେଳ ଷ୍ଟେସନର ହେବ ନବକଳେବର, ୮୦୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ଯାସ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଓଡ଼ିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଭିଡିଓ କନଫରେନ୍ସିଂ ଜରିଆରେ ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।
ପୁରୀ ଓ କଟକ ରେଳଷ୍ଟେସନର ନବକଳେବର ହେବ। ଏହି ଦୁଇଟି ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ। ଯାତ୍ରୀ ପ୍ରତୀକ୍ଷାଗାର, ଶୌଚାଳୟ, ଟିକେଟ କାଉଣ୍ଟର, ସ୍ବଚ୍ଛତା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଉପରେ ଅଧିକ ଗୁରୁତ୍ବ ଦିଆଯିବ । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ୨ଟି ଷ୍ଟେସନର ଶିଳାନ୍ୟାସ ଭର୍ଚୁଆଲ ମାଧ୍ୟମରେ କରିବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ ।

ଓଡ଼ିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ । ଏହା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଆମଦାନୀ ହୋଇଥିବା ଅଶୋଧିତ ତୈଳ ଉପରେ ର୍ନିଭରଶୀଳତା ହ୍ରାସ କରିବ । ପ୍ରଧାନମନ୍ତ୍ରୀ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇ. ମନୋହରପୁର-ରାଉରକେଲା- ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଚ୍ଛୁପାଲି-ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ କରିବେ । ଓଡିଶାର ଇସ୍ପାତ, ବିଦ୍ୟୁତ୍ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡିକର ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ ।

ସେହିପରି ଆସନ୍ତାକାଲିଠୁ ଓଡିଶାରେ ଗଡ଼ିବ ବହ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ସେମି ହାଇସ୍ପିଡ୍ ଟ୍ରେନ୍। ଆସନ୍ତାକାଲି ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ଏହି 16 ଟି କୋଚ୍ ବିଶିଷ୍ଟ ସେମି ହାଇ ସ୍ପିଡ୍ ଟ୍ରେନ ନିୟମିତ ଭାବେ ମେ 20 ତାରିଖରୁ ଚାଲିବା ଆରମ୍ଭ କରିବ । ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ। ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ନେଇ ଯାତ୍ରୀ ବେଶ ଉତ୍ସାହୀ ଥିବା ବେଳେ ଏହା ଲୋକଙ୍କ ଯାତ୍ରା ସମୟକୁ ଢେର କମାଇବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ।












Click it and Unblock the Notifications