ଓଡ଼ିଶା ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଲେ ପିଏମ ମୋଦି, କହିଲେ ‘ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ବିପଦରେ
ଭୁବନେଶ୍ୱର: ରାଜ୍ୟରେ ଆଜି ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତାଙ୍କ ପ୍ରଚାରରେ କମ୍ପିଛି ସାରା ଓଡ଼ିଶା । ସାଲେପୁରରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ବ୍ରହ୍ମପୁରରେ ପ୍ରଚାର କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜେପି ନଡ୍ଡା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।
ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଅପିଲ କରିଛନ୍ତି ନଡ୍ଡା । ଏହା ସହ ନଡ୍ଡା ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ'ଣ କେହି ନେତା ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଆହୁରି କହିଛନ୍ତି ବାହାର ଲୋକଙ୍କୁ ଆଣିବାକୁ ଏଠାରେ ଚେଷ୍ଟା ଚାଲିଛି । ଏଥିପ୍ରତି ଓଡ଼ିଶାବାସୀ ସଚେତନ ହେବା ଜରୁରୀ । ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି ବୋଲି କହିଛନ୍ତି ଜେପି ନଡ୍ଡା । ଆଉ ଠିକ୍ ଏଭଳି ମାହୋଲ ମଧ୍ୟରେ ବର୍ତ୍ତମାନ ଓଡ଼ିଶା ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସାକ୍ଷାତକାର ଅବସରରେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି କହିଛନ୍ତି ପିଏମ ମୋଦି । ସେ କହିଛନ୍ତି, ବିଜୁ ଜନତା ଦଳ ଆମକୁ ମୁଦ୍ଦା ଅନୁଯାୟୀ ସମର୍ଥନ ଦେଉଥିଲା । ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରନ୍ତି । ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା । ଓଡ଼ିଶାର ପୂରା ଅସ୍ମିତା ଏବେ ଶେଷ ହେବାକୁ ବସିଛି । ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି ।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଯେତେ ପ୍ରାକୃତିକ ସମ୍ବଳ ଅଛି, ଏହାକୁ ବିନିଯୋଗ କରି ସବୁଠାରୁ ଧନୀ ରାଜ୍ୟ ହେବା କଥା । କିନ୍ତୁ ଓଡ଼ିଶା ବହୁତ ପଛରେ ଅଛି । ଆମକୁ ଓଡ଼ିଶାର ଲୋକଙ୍କ ସେବା କରିବାର ସୁଯୋଗ ମିଳିବା ଦରକାର । ଆମେ ଓଡ଼ିଶାକୁ ବହୁ ଆଗକୁ ନେଇପାରିବୁ ।












Click it and Unblock the Notifications