ଟିଭିରେ ପଢିବେ +2 କଳା ଛାତ୍ରଛାତ୍ରୀ : ଦୂରଦର୍ଶନରେ ହେବ ପ୍ରସାରଣ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +2 କଳା ଛାତ୍ରଛାତ୍ରୀମାନେ ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢିବେ ।
ଭୁବନେଶ୍ୱର : ରାଜ୍ୟର ଅନେକ ଅଞ୍ଚଳ ରେ ଏବେ ବି ଇଣ୍ଟରନେଟ୍ ସୁବିଧା ପହଞ୍ଚି ପାରି ନାହିଁ । ସେପରି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ । ଏହି ସମସ୍ତ ଦିଗରକୁ ଆଖି ଆଗରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +2 କଳା ଛାତ୍ରଛାତ୍ରୀମାନେ ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢିବେ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାଠ୍ୟକ୍ରମର ପାଠ ପଢା ଭିଡିଓ ଦୂରଦର୍ଶନରେ ପ୍ରସାରଣ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କଳା ପାଠ୍ୟକ୍ରମର 6ଟି ବିଷୟ ପ୍ରସାରଣ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ ଯୁକ୍ତ ଦୁଇ କଳାରେ 68 ଶତକଡା ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଅର୍ଥାତ ରାଜ୍ୟରେ 2032 କନିଷ୍ଠ ମହାବିଦ୍ୟାଳୟରେ 2 ଲକ୍ଷ 21 ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ପାଠ ପଢୁଛନ୍ତି । ଏହି ସମସ୍ତ ଛାତ୍ରଛାତ୍ରୀମାନେ ଏଥର ଦୂରଦର୍ଶନରେ ପାଠ ପଢିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ପଢା ହେବାକୁ ଥିବା ଛଅଟି ପାଠ୍ୟକ୍ରମ ମଧ୍ୟରେ ରାଜନୀତି ବିଜ୍ଞାନ, ଇତିହାସ, ଇଚ୍ଛାଧିନ ଓଡ଼ିଆ, ଅର୍ଥନୀତି, ତର୍କଶାସ୍ତ୍ର ଓ ଶିକ୍ଷା ଆଦି ରହିଛି । କଟକରେ ଥିବା ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଓ ଭୁବନେଶ୍ୱର ଠାରେ ଥିବା ଓଡ଼ିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର ଠାରେ ରାଜ୍ୟର ଅଭିଜ୍ଞ ଅଧ୍ୟାପକମାନଙ୍କ ଦ୍ୱାରା ସଂପୃକ୍ତ ବିଷୟର ରେକର୍ଡିଂ ଶେଷ ହୋଇଛି । ଏହି ଭିଡିଓକୁ ଏବେ ପୁଣି ଅଭିଜ୍ଞ ବିଶେଷଜ୍ଞମାନେ ଯାଞ୍ଚ କରିବେ । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଏହାକୁ ଦୂରଦର୍ଶନରେ ପ୍ରସାରଣ କରାଯିବ ବୋଲି ଜଣାପଡିଛି ।












Click it and Unblock the Notifications