ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ,
ପୁରୀ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ସମ୍ବେଦନଶୀଳ ଶ୍ରୀମନ୍ଦିରର ଗର୍ଭଗୃହର ଭିଡିଓ । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସବୁକ୍ରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ କରିଛନ୍ତି । ଏହି ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ସହ ଭିତର ବେଢାର ଭିଡିଓ ମଧ୍ୟ ଭାଇରାଲ କରିଛନ୍ତି । ଯାହାକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ ।
ତେବେ ଶ୍ରୀମନ୍ଦିର ଭିତରକୁ କୌଣସି ବ୍ୟକ୍ତିଙ୍କୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି । ସେଥିପାଇଁ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ କରାଯାଇଛି । ଆଉ ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଚାରିଦ୍ଵାରରେ ମୋବାଇଲ୍ ଯାଞ୍ଚ ପାଇଁ ମାଳ ମାଳ ପୋଲିସ ନିୟୋଜିତ ହୋଇଛନ୍ତି । ଏହା ସତ୍ତ୍ବେ କିପରି ମୋବାଇଲ ଭିତରକୁ ଯାଉଛି ଏବଂ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେଉଛି ତାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।
ତେବେ ଯାଞ୍ଚ ପାଇଁ ନିୟୋଜିତ ହୋଇଥିବା ପୋଲିସ କର୍ମୀମାନେ ସଠିକ୍ ରେ ନିଜ ଡ୍ୟୁଟି କରୁନଥିବା ଭକ୍ତମାନେ ଅଭିଯୋଗ କରିବା ସହ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ଇ ହୋଇଛି।

ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।












Click it and Unblock the Notifications