ନବୀନଙ୍କୁ ନିରଞ୍ଜନଙ୍କ ଚିଠି, ବଜାର ହାଟ ଖୋଲିଛି ଯଦି ମନ୍ଦିର କାହିଁକି ନୁହେଁ
ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପରେ କେନ୍ଦୁଝର ଘଟଗାଁ ମା’ ତାରିଣୀ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଭୁବନେଶ୍ୱର: ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପରେ କେନ୍ଦୁଝର ଘଟଗାଁ ମା' ତାରିଣୀ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । କଟକଣା ମାନି ଯଦି ଲୋକମାନଙ୍କୁ ହାଟ ବଜାରକୁ ଯିବା ପାଇଁ ଅନୁମତି ଦିଆଯାଉଛି ତେବେ ପୂଜା ପୀଠଗୁଡିକୁ ଯିବାରେ କୌଣସି ଅସ୍ୱାଭାବିକତା ନାହିଁ ବୋଲି ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଘଟଗାଁର ମା'ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ସମଗ୍ର ହିନ୍ଦୁ ଜାତିର ଏକ ପ୍ରସିଦ୍ଧ ପୀଠର ମାନ୍ୟତା ପାଇଛି । ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବସ୍ରେ ମା'ତାରିଣୀଙ୍କ ପାଖକୁ ପ୍ରତିଦିନ ନଡିଆ ପଠାଇଥାନ୍ତି । ଯାହା ଫଳରେ ସମଗ୍ର ଓଡିଶାକୁ ମା' ଗୋଟିଏ ସୂତ୍ରରେ ବାନ୍ଧି ରଖିଥାନ୍ତି । ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ଆଳରେ ଏହି ମନ୍ଦିରକୁ ବନ୍ଦ କରାଯାଇଛି । ଯାହା ଫଳରେ ଶ୍ରଦ୍ଧାଳୁମାନେ ମା'ଙ୍କ ନିକଟକୁ ନଡିଆ ପଠାଇ ପାରୁ ନାହାନ୍ତି ବା ମା'ଙ୍କ ଦର୍ଶନ କରିପାରୁ ନାହାନ୍ତି । ଫଳରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ପ୍ରଭାବିତ ହେବା ସହ ମନ୍ଦିର ସହ ସଂପୃକ୍ତ ସେବକ ଓ ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି ।
ତେବେ ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛନ୍ତି ସେହିଭଳି ଘଟଗାଁ ମା'ତାରିଣୀଙ୍କ ମନ୍ଦିର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ପିସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।












Click it and Unblock the Notifications