ବାଲେଶ୍ଵର ନିକଟରେ ମର୍ମନ୍ତୁଦ ବସ ଦୁର୍ଘଟଣା, ୧୦ ମୃତ, ୩୦ ଆହତ
ଭୁବନେଶ୍ବର: ଓଡିଶାର ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏକ କୋଇଲା ବୋଝେଇ ଟ୍ରକ୍ ସହ ଧକ୍କା ହେବ ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଘରୋଇ ବସ 'ଶାନ୍ତିଲତା' ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିବା ବେଳେ ବସର ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ୧୦ ଫୁଟ୍ ତଳକୁ ବସ୍ ଓଲଟି ପଡିଥିଲା ।

ଆହାତଙ୍କୁ ସ୍ଥାନୀୟ ମେଡିକାଲ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି । ସୋର ପୋଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଥିଲେ। ଜାତୀୟ ରାଜପଥ କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱ ଦେଇ ଦୁଇପଟୁ ଗାଡ଼ି ଯାଆସ କରୁଛନ୍ତି । ରାସ୍ତା କାମ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରାସ୍ତା କଡ଼ରେ ଗଦା ହୋଇଛି । ଫଳରେ ଦ୍ରୁତଗତିରେ ଯାଉଥିବା ଗାଡ଼ି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି।
ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା:
ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତି ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।












Click it and Unblock the Notifications