Pari case: ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ନୟାଗଡ଼ IIC ରୀତାରାଣୀ ସାହୁ ସସ୍ପେଣ୍ଡ
ନୟାଗଡ଼ ଥାନା IIC ରୀତାରାଣୀ ସାହୁ ସସ୍ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି।
ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ନୟାଗଡ଼ ଥାନା IIC ରୀତାରାଣୀ ସାହୁ ସସ୍ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ତାଙ୍କୁ ଦାୟିତ୍ବରୁ ହଟାଯାଇ କନ୍ଧମାଳ ଡ଼ିଏସପି ଭାବରେ ଦାୟିତ୍ବ ଦିଆଯାଇଛି । ଉଭୟଙ୍କ ଉପରେ ନିଆଯାଇଥିବା କାର୍ଯ୍ଯାନୁଷ୍ଠାନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ 'ପରୀ'ର ବାପା-ମାଆଙ୍କୁ ନାନା ହଇରାଣ କରିବା ସହ ପରୀର ମାଆଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପୋଲିସ ପ୍ରଶାସନଠାରୁ ନିରାଶ ହେବା ପରେ 'ପରୀ'ର ବାପା-ମାଆ ଭୁବନେଶ୍ବର ଆସି ଶୀତ ଅଧିବେସନ ଚାଲିଥିବା ବେଳେ ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବା ପାଇଁ ଉଦ୍ୟମ କରିଥିଲେ । ପରୀର ବାପା ମା ତାଙ୍କ ଝିଅର ହତ୍ୟା ନେଇ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ପରେ ଘଟଣା ଚର୍ଚ୍ଚାକୁ ଆସିବା ସହ ବିଭିନ୍ନ ମହଲରୁ ଚାପ ମଧ୍ୟ ବଢିଥିଲା । ଏବେ ସରକାରଙ୍କ ପକ୍ଷରୁ ଉକ୍ତ ଘଟଣାରେ ଏସେଆଇଟି ତଦନ୍ତ କରାଯାଉଛି ।
୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା 'ପରୀ'ର ବାପା-ମାଆ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳରୁ ଅରୁଣ ସାହୁଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ନୟାଗଡ଼ରେ ସତ୍ୟାଗ୍ରହ କରୁଥିବା ବେଳେ ଆଜି 'ପରୀ' ପରିବାରକୁ ଭେଟିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ।












Click it and Unblock the Notifications