ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ହିଂସାମୁକ୍ତ ନିର୍ବାଚନର ଆଶ୍ୱାସନା ଦେଲେ ଡିଜିପି
ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନର ଓ ପୋଲିସ ଡିଜି ସୁନୀଲ ବଂଶଲ କାଲିର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।
ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନର ଓ ପୋଲିସ ଡିଜି ସୁନୀଲ ବଂଶଲ କାଲିର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହେବ ବୋଲି ଆଶ୍ୱାସନା ଦେଇଛନ୍ତି ।

ନିର୍ବାଚନ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତୀ ୪ଟି ପର୍ଯ୍ୟାୟକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏପରିକି ମାଓ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଥିବା ପୋଲିସ ଡିଜି ସୁନୀଲ ବଂଶଲ ପ୍ରତିକ୍ରିୟା ଦେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ମୁଖ୍ୟ ସଚିବ ଉପସ୍ଥିତ ରହିଥିଲେ ।
ସୂଚନାଥାଉ କି, ରାଜ୍ୟରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ ସରିଛି । ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟର ୬୮ଟି ବ୍ଲକରେ ୭୪୭ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ୬୨.୧୦ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ । ୧୮୬ଟି ଜିଲ୍ଲା ପରିଷଦ ଜୋନ,୧୫୧୪ଟି ପଞ୍ଚାୟତରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ସମେତ ୨୦୪୩୬ଟି ୱାର୍ଡମେମ୍ବର ନିମନ୍ତେ ଆସନ୍ତାକାଲି ଭୋଟଗ୍ରହଣ ହେବ ।
ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସା ଓ ଗଣ୍ଡଗୋଳ ପାଇଁ ମୋଟ ୩୬ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ସେହିପରି ପୋଲିସ ମୁଖ୍ୟାଳୟରୁ ଜାରି ସୂଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣକୁ ଅବାଧ ଓ ସ୍ୱଚ୍ଛ କରିବା ନିମନ୍ତେ ଯଥେଷ୍ଟ ପରିମାଣର ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ୧୭୫୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ସମଗ୍ର ରାଜ୍ୟରେ ମୁତୟନ ହୋଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୨୦୪୩୫ଟି ବୁଥରେ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ଭୋଟବେଳେ ହିଂସା ଓ ଗଣ୍ଡଗୋଳ କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୬ଜଣ, ଯାଜପୁରରେ ୧୪ଜଣ ଓ ଢେଙ୍କାନାଳରେ ୬ଜଣଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications