ପଦ୍ମପୁର ଉପନିର୍ବାଚନ: ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତା ୮ରେ ଫଳାଫଳ
ସୋମବାର ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ମୋଟ୍ ୮୧.୨୯ % ଭୋଟିଂ ହୋଇଥିବା ସୂଚନା ରହିଛି । ଗତକାଲି ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିଲା।
ଭୁବନେଶ୍ୱର: ସୋମବାର ଶେଷ ହୋଇଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ମୋଟ୍ ୮୧.୨୯ % ଭୋଟିଂ ହୋଇଥିବା ସୂଚନା ରହିଛି । ଗତକାଲି ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିଲା । ମତଦାନ ଶେଷ ହେବା ପରେ ଇଭିଏମଗୁଡିକୁ ସିଲ କରି ଷ୍ଟ୍ରଙ୍ଗ ରୁମକୁ ପଠାଇ ଦିଆଯାଇଛି । ଗଣତି ପର୍ଯ୍ୟନ୍ତ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ରହିଛି ଏହିସବୁ ଇଭିଏମ । ଷ୍ଟ୍ରଙ୍ଗରୁମକୁ ସିସିଟିଭି ନଜରରେ ରଖାଯିବା ସହ ଦ୍ବି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁସାରେ, ସକାଳ ସମୟରେ ମତଦାନ ହାର କମ୍ ରହିଥିଲା। ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ୯ଟା ସୁଦ୍ଧା ୮.୫ %, ଦିନ ୧୧ଟା ବେଳକୁ ୨୯.୭୩ %, ଗୋଟାଏ ବେଳକୁ ୪୬.୯୬ %, ଅପରାହ୍ନ ୩ଟାରେ ୬୫.୨୮% ମତଦାନ ହୋଇଥିଲା। ସଂଧ୍ୟା ୫ଟା ବେଳକୁ ୭୫.୮୯% ମତଦାନ ହୋଇଥିଲା। ସଂଧ୍ୟା ୬ଟା ବେଳକୁ ଏହା ୮୦ ପ୍ରତିଶତ ଅତିକ୍ରମ କରିଥିଲା । ଗତ ୨୦୧୯ ଏବଂ ୨୦୧୪ ମସିହା ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ଅଧିକ ରହିଛି । ଏହି ଦୁଇ ନିର୍ବାଚନରେ ଏଠାରେ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍ ଗ୍ରହଣ ସମୟରେ କାଁ ଭାଁ ସାମାନ୍ୟ ପାଟିତୁଣ୍ତକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ପଡ଼ିଛି ।
୩୧୯ ବୁଥରେ ମତଦାନ କରିଥିଲେ ଭୋଟର । ୪ଟି ବୁଥରେ ଇଭିଏମ ଅଚଳ ହୋଇଥିବାରୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ସେସବୁ ବୁଥରେ ସଙ୍ଗେ ସଙ୍ଗେ ଇଭିଏମ ପରିବର୍ତ୍ତନ କରାଯାଇ ଭୋଟିଂ କରାଯାଇଥିଲା । ଅପରାହ୍ଣ ୪ରେ ମତଦାନ ପ୍ରକ୍ରିୟା ସରିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ୮୯ଟି ବୁଥରେ ଅନେକ ଲୋକ ଭୋଟ୍ ଦେବା ପାଇଁ ଧାଡ଼ିରେ ରହିଥିବାରୁ ସେସବୁ ବୁଥରେ ସଂଧ୍ୟା ସାଢ଼େ ୬ଟା ଯାଏଁ ଭୋଟିଂ କରାଯାଇଥିଲା ।
ସୂଚନା ଅନୁଯାୟୀ, ମୋଟ୍ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।
୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।
୩ ବର୍ଷ ପରେ ପୁଣି ଗୋଟେ ଉପନିର୍ବାଚନକୁ ସାମ୍ନା କରିଥିବା ପଦ୍ମପୁରବାସୀଙ୍କ ଭିତରେ ମତଦାନକୁ ନେଇ ଦେଖିବାକୁ ମିଳିଥିଲା ଅପୂର୍ବ ଉତ୍ସାହ । ତେବେ ଆଗାମୀ ୮ ତାରିଖରେ ପ୍ରକାଶ ପାଇବ ଫଳାଫଳ । ତେଣୁ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ପଦ୍ମପୁରବାସୀ ।