ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା; ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ବ୍ୟବସ୍ଥା
ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା। ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା। ଚାଷୀଙ୍କ ପାଇଁ ଏଥର ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା । ମଣ୍ଡିରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ବ୍ୟବସ୍ଥା । ଠିକ୍ ସମୟରେ ଗାଡ଼ି ପହଞ୍ଚାଇବାକୁ ମିଲର୍ଙ୍କୁ କଡ଼ା ନିର୍ଦ୍ଦେଶ। ଧାନ କିଣା ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ । କଟ୍ନି ଛଟ୍ନି ଉପରେ ସରକାର ନଜର ରଖିଛନ୍ତି କହିଲେ ସମବାୟ ମନ୍ତ୍ରୀ ।

ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ ନେଇ ଶନିବାର ଏକ ବୈଠକ ହୋଇଥିଲା। ସେଥିରେ କରାଯାଇଥିବା ଆଲୋଚନା ମୁତାବକ, ଚଳିତ ବର୍ଷ ୩୧୩୪ଟି ସେବା ସମବାୟ ସମିତି ଓ ଲ୍ୟାମ୍ପ୍ସ ଧାନ ସଂଗ୍ରହରେ ସାମିଲ ହେବେ। ଏହାସହିତ ୧୪୧୯ କଷ୍ଟମ ମିଲର ଧାନ ସଂଗ୍ରହ କରିବେ ବୋଲି ଧାନସଂଗ୍ରହ ସମୀକ୍ଷା ବୈଠକରୁ ଜଣାଯାଇଛି। ଚଳିତ ବର୍ଷ ୪୦୮୮ଟି ମଣ୍ଡି,ଏଫ୍ସିଆଇ ଏବଂ ଯୋଗାଣ ନିଗମର ୧୬୩ଟି ଗୋଦାମ ଘରକୁ ମିଶାଇ ରାଜ୍ୟରେ ସର୍ବମୋଟ ୬.୬୮ ଲକ୍ଷ ମେଟ୍ରିକ୍ ଟନ୍ ଭଣ୍ଡାର କ୍ଷମତା ରହିଛି। ସବୁ ଜିଲାରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ସରିଛି।
ଶୀଘ୍ର ଧାନ ସଂଗ୍ରହ କରୁଥିବା ଜିଲାକୁ ୨୫ ନଭେମ୍ବର ଏବଂ ବିଳମ୍ବରେ ଧାନ ସଂଗ୍ରହ କରୁଥିବା ଜିଲାକୁ ନଭେମ୍ବର ୩୦ ତାରିଖ ସୁଦ୍ଧା କୃଷକଙ୍କ ଜମି ଅନୁସାରେ ଆବଶ୍ୟକ ପ୍ରମାଣୀକୃତ ବ୍ୟବସ୍ଥା ସାରିବାକୁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ସଚିବ ଖରିଫ ଋତୁ ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪-୨୫ ଖରିଫ୍ ମାର୍କେଟିଂ ଋତୁରେ ୭୩ ଲକ୍ଷ ୪୫ ହଜାର ୭୦୭ ମେଟ୍ରିକ୍ ଟନ୍ ଏବଂ ରବିଋତୁରେ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ସେହି ଅନୁପାତରେ ଯେତେ ପରିମାଣର ଚାଉଳ ସଂଗ୍ରହ ହେବା କଥା,ସେଥିରୁ ୭୨ ପ୍ରତିଶତ ସଂଗ୍ରହ ହୋଇଛି ଓ ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । ଗତ ୨୦୨୩ -୨୪ ବର୍ଷରେ ୮୫ ପ୍ରତିଶତ ଚାଉଳ ସଂଗ୍ରହ ହୋଇଥିଲା । ୨୦୨୫-୨୬ ବର୍ଷ ପାଇଁ ୧୯.୬୮ ଲକ୍ଷ ଚାଷୀ ଧାନ ବିକ୍ରୟ ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୭.୫୦ ଲକ୍ଷ ଥିଲା। ଏ ବର୍ଷ ୯୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉଭୟ ଖରିଫ ଓ ରବି ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।












Click it and Unblock the Notifications