ଆମ ସରକାର କୃଷି ଓ ଆନୁଷଙ୍ଗିକ କୃଷିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି: ମୁଖ୍ୟମନ୍ତ୍ରୀ
ଆମ ସରକାର କୃଷି ଓ ଆନୁଷଙ୍ଗିକ କୃଷିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ବଲାଙ୍ଗୀର ହେଉଥିବା ରାଜ୍ୟସ୍ତରୀୟ କୃଷକ ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ l ୨୦୨୫-୨୬ ଆର୍ଥିକ ବର୍ଷରେ କୃଷି ବଜେଟ୍ ଦୁଇଗୁଣ ବୃଦ୍ଧି କରାଯାଇଛି l
ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି ଓ ସିଏମ୍ କିଷାନ୍ ସହିତ 'ପିଏମ-ସମ୍ମାନ ନିଧି' ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି । କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l
ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଅମୃତ ଅନ୍ନ ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଆଦି ଯୋଜନା ମାଧ୍ୟମରେ କୃଷି ଓ କୃଷକଙ୍କ ଉନ୍ନତି ସାଧିତ ହେଉଛି ।

କୃଷି ହେଉଛି ମାନବ ସଭ୍ୟତାର ପ୍ରଥମ ବୃତ୍ତି। ଆଜି ଆମ ଦେଶ ଭାରତ ତା'ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ଵରେ ପ୍ରଶଂସିତ। ଆମ ରାଜ୍ୟ ଓ ଦେଶର ସଂସ୍କୃତି ହେଉଛି କୃଷି ସଂସ୍କୃତି। କୃଷି ସହିତ ଆମର ପରମ୍ପରା, ଖାଦ୍ୟ ଓ ପର୍ବପର୍ବାଣୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ରାଜ୍ୟର ଅଧିକାଂଶ ଲୋକଙ୍କ ଜୀବିକା ହେଉଛି କୃଷି। କୃଷି ହେଉଛି ଆମ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ। ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ଏହି ଅବସରରେ, ଆମର ଅର୍ଥନୀତିର ମେରୁଦଣ୍ଡ- ଆମର ଚାଷୀ ଭାଇ ଭଉଣୀଙ୍କୁ ସମ୍ମାନ ଜଣାଉଛି। ସେମାନଙ୍କ ପରିଶ୍ରମର ଫଳ, ଆମ ପେଟକୁ ଦାନା ଯୋଗାଉଛି l ଦିନରାତି ପରିଶ୍ରମ କରି ଆମ ଖାଦ୍ୟ ଥାଳି ପୂର୍ଣ୍ଣ କରୁଥିବା ସମଗ୍ର କୃଷକ ସମାଜକୁ ଆଜି ସଶକ୍ତ କୃଷକ ସମାବେଶ ଅବସରରେ ମୋର ପ୍ରଣାମ ।
ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆମ ଦେଶର କୃଷକ ସମାଜକୁ ବହୁତ ସମ୍ମାନ ଦିଅନ୍ତି। ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି। କୃଷକ ଭାଇଭଉଣୀଙ୍କ ସମୃଦ୍ଧି ଓ କଲ୍ୟାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଯତ୍ନଶୀଳ ଅଛନ୍ତି। ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜ ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି l
ଅନ୍ନଦାତାଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ କୁଇଣ୍ଟାଲ ପିଛା ଧାନର ସହାୟକ ମୂଲ୍ୟ ବାଦ୍ ଅତିରିକ୍ତ ୮୦୦ ଟଙ୍କା ଇନପୁଟ୍ ସହାୟତା ରାଶି ପ୍ରଦାନ ଆମ ସରକାରର ଦାୟିତ୍ଵ ଗ୍ରହଣ ପରେ ପ୍ରଥମ ନିଷ୍ପତ୍ତି ଥିଲା l ଆଜି ଚାଷୀ ଭାଇ ଭଉଣୀମାନେ କୁଇଣ୍ଟାଲ୍ ଧାନ ପିଛା ସର୍ବମୋଟ୍ ୩୧୦୦ ଟଙ୍କା ପାଉଛନ୍ତି l କୃଷି କ୍ଷେତ୍ରରେ ଆଧୁନିକୀକରଣକୁ ପ୍ରାଥମିକତା ଦେଇ କୃଷି କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତିକୁ ସବସିଡ଼ି ଦରରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l












Click it and Unblock the Notifications