କୋଭିଡ ଯୋଦ୍ଧାଙ୍କ ପାଇଁ ଓଟିଡିସିର ଦ୍ଵାର ଖୋଲା: ଦୈନିକ ଯୋଗାଉଛି ୫୦୦ ମିଲ
କରୋନା ମହାମାରୀର ଦ୍ବିତୀୟ ଲହରୀରେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କରୋନା ଲଢ଼େଇରେ ନିଜକୁ ସାମିଲ କରିଛି । ଓଟିଡିସିର ସମସ୍ତ ପାନ୍ଥନିବାସ ଓ ପାନ୍ଥିକା ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିବାବେଳେ କୋଭିଡ୍ ଯୋଦ୍ଧା ବିଶ
ଭୁବନେଶ୍ବର: କରୋନା ମହାମାରୀର ଦ୍ବିତୀୟ ଲହରୀରେ ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କରୋନା ଲଢ଼େଇରେ ନିଜକୁ ସାମିଲ କରିଛି । ଓଟିଡିସିର ସମସ୍ତ ପାନ୍ଥନିବାସ ଓ ପାନ୍ଥିକା ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିବାବେଳେ କୋଭିଡ୍ ଯୋଦ୍ଧା ବିଶେଷକରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ନିମନ୍ତେ ପାନ୍ଥନିବାସଗୁଡ଼ିକୁ ଉନ୍ମୁକ୍ତ କରାଯାଇଛି।

ଜିଲ୍ଲା ପ୍ରଶାସନ ସହାୟତାରେ କେନ୍ଦୁଝର, ରାଉରକେଲା, ପାରାଦୀପ ଓ ସମ୍ବଲପୁରରେ ଥିବା ପାନ୍ଥନିବାସର ପ୍ରାୟ ୧୦୦ଟି ରୁମରେ ଏବେ ଡାକ୍ତରମାନେ ରହୁଛନ୍ତି । ପାନ୍ଥନିବାସର କର୍ମଚାରୀମାନେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁଥିବାବେଳେ ଦୈନିକ ରୁମଗୁଡ଼ିକୁ ନିୟମିତ ସାନିଟାଇଜ୍ କରାଯାଉଛି । ପୁରୀ ପାନ୍ଥନିବାସ ପକ୍ଷରୁ ଏବେ ଦୈନିକ ୫୦୦ ମିଲ୍ ପ୍ରସ୍ତୁତ କରାଯାଇ କୋଭିଡ୍ ଯୋଦ୍ଧାମାନଙ୍କ ସମେତ କୋଭିଡ୍ ରୋଗୀଙ୍କୁ ଯୋଗାଇ ଦିଆଯାଉଛି। ଏହାସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତମାନଙ୍କୁ ମଧ୍ୟ ଗତବର୍ଷ ଭଳି ଖାଇବା ପୁରୀ ପାନ୍ଥନିବାସ ଯୋଗାଉଛି।
ଏ ସମ୍ପର୍କରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ଗାଇଡଲାଇନକୁ ପାଳନ କରି ଓ ସହଯୋଗର ହାତ ବଢ଼ାଇ ସମସ୍ତେ ମିଳିମିଶି କରୋନା ଲଢ଼େଇରେ ବିଜୟୀ ହୋଇପାରିବା। ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମାଗଣା ସାମୁହିକ କୋଭିଡ୍ ଟିକାକରଣ ଘୋଷଣା କରିଛନ୍ତି। ଟିକାକରଣ ଓ କୋଭିଡ୍ ଗାଇଡଳାଇନ୍ ପାଳନ କରୋନାରୁ ସୁରକ୍ଷିତ ରଖିବାରେ ସହାୟକ ହେବ। ପାନ୍ଥନିବାସ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। କର୍ମଚାରୀଙ୍କ କୋଭିଡ୍ ଟୀକାକରଣ ମଧ୍ୟ କରାଯାଉଛି। ଏହି ମହାବିପତ୍ତି ସମୟରେ ଓଟିଡିସି ନିଜର ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।












Click it and Unblock the Notifications