ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ
ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ରବିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କୋରାପୁଟ ଆଦି ଜିଲାର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ମୟୂରଭଞ୍ଜ ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ସେହିପରି ବର୍ଷା ସମୟରେ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ଏହାବାଦ୍ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରବିବାର ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ବରଗଡ଼ରେ ୩୮ ଡିଗ୍ରୀ, ବଲାଙ୍ଗୀର ୩୮ ଡିଗ୍ରୀ, ଝାରସୁଗୁଡା ୩୭.୭ ଡିଗ୍ରୀ, ଭବାନୀପାଟଣା ୩୭.୫ ଡିଗ୍ରୀ, ଟିଟିଲାଗଡ଼ ୩୭.୫ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୩୭ ଡିଗ୍ରୀକୁ ଖସି ଆସିଥିଲା ତାପମାତ୍ରା। ଆସନ୍ତା ୫ଦିନ ମଧ୍ୟରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications