ସିମ୍ ବକ୍ସ ଖୋଲିଲା ବଡ ଗୁମର; ବାଂଲାଦେଶରୁ ଓଡ଼ିଶା ଲମ୍ବିଥିବା ଲିଙ୍କ
ଖୋଲୁଛି ସିମ୍ ବକ୍ସ ରାକେଟର ବଡ଼ ଲିଙ୍କ। ପଡ଼ୋଶୀ ଦେଶ ବାଂଲାଦେଶରୁ ଏହି ରାକେଟକୁ ଚଳାଉଥିଲା ମାଷ୍ଟରମାଇଣ୍ଡ ଅସଦୁର ଜମାନ। ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି, ଅସଦୁର ଭୁବନେଶ୍ୱର ଆସି ଏକ ହୋଟେଲରେ ରହି ଏହି କାରବାରରେ ରାଜୁକୁ ସହାୟତା କରୁଥିଲା, ହେଲେ ଗୁଇନ୍ଦା ବିଭାଗ ପାଖରେ ନଥିଲା କୌଣସି ଖବର। ସେପଟେ ଭୁବନେଶ୍ବର ଓ କଟକରେ ସିମ୍ ବକ୍ସ ଠାବ ପରେ ଝାଡ଼ଖଣ୍ଡରେ ତୃତୀୟ ବକ୍ସ ଥିବା ନେଇ ସୂଚନା ଦେଇଛି କମିସନରେଟ୍ ପୁଲିସ।

ସିମ୍ ବକ୍ସ ଲିଙ୍କ ମାମଲାରେ ସାମ୍ନାକୁ ଆସିଛି ବାଂଲାଦେଶ କନେକ୍ସନ। ଭୁବନେଶ୍ବରରୁ କୋଲକାତା, ଆଉ କୋଲକାତାରୁ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥଲା ଏହି ସିମ୍ ବକ୍ସ ରାକେଟ। ଏଥିରେ ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ସହଯୋଗ କରୁଥିଲା ଅଭିଯୁକ୍ତ ରାଜୁ ମଣ୍ଡଳ। ପଚରାଉଚରା ବେଳେ କମିଶନରେଟ୍ ପୁଲିସକୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ରାଜୁ। ବାଂଲାଦେଶରେ ଅସଦୁର ଜମାନକୁ ଭେଟି ସିମ୍ ବକ୍ସ ନେଇ ଡିଲ୍ କରିଥିଲା ରାଜୁ। ଆଶ୍ଚର୍ଯ୍ୟକର କଥା ହେଉଛି, ଅସଦୁର ଭୁବନେଶ୍ବରରେ ଆସି ଲିଙ୍ଗରାଜ ହୋଟେଲରେ ରହୁଥିଲା, ହେଲେ, ଟେର ପାଇପାରିନଥିଲା ଗୁଇନ୍ଦା ବିଭାଗ। ଏପରିକି ପୁଲିସ ପାଖରେ ନଥିଲା କୌଣସି ସୂଚନା।
ଭୁବନେଶ୍ବର, କଟକରୁ ସିମ୍ ବକ୍ସ ମିଳିବା ପରେ ଏବେ ଝାଡ଼ଖଣ୍ଡରେ ତୃତୀୟ ସିମ ବକ୍ସ ଥିବା ସୂଚନା ଦେଇଛନ୍ତି ପୁଲିସ କମିସନର। ଖୁବଶୀଘ୍ର ପୁଲିସ ଏକ ଟିମ୍ ଝାଡ଼ଖଣ୍ଡରେ ରେଡ୍ କରିବ। ସେପଟେ ରାଜୁର ସୂଚନା ଆଧାରରେ ଅସଦୁର ରହୁଥିବା ଲିଙ୍ଗରାଜ ହୋଟେଲରେ ତନାଘନା କରିଛି ପୁଲିସ।
କଟକ ଓ ଭୁବନେଶ୍ବରର ମିଳିତ ଚଢ଼ାଉରେ ମଧୁପାଟଣା ଥାନା ଅଞ୍ଚଳର ରାଜେନ୍ଦ୍ର ନଗରରେ ୫ଟି ସିମ୍ ବକ୍ସ, ୨୩୬ଟି ଆକ୍ଟିଭ ସିମ୍, ୩୧୦ଟି ସିମ୍, ୪୦ଟି ସିମ୍ କ୍ୟାରିୟର, ଗୋଟିଏ ମଡେମ ଏବଂ ଦୁଇଟି ୨ଟି ରାଉଟର ଜବତ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ଏତେ ଦିନ ପର୍ୟ୍ୟନ୍ତ କେମିତି ଏସମ୍ପର୍କରେ ଜାଣିପାରିଲାନି ଗୁଇନ୍ଦା ବିଭାଗ?












Click it and Unblock the Notifications