ଚିଲିକା ମଇଁଷିଙ୍କ ସଂରକ୍ଷଣ ଓ ସମ୍ବର୍ଦ୍ଧନ ନିମନ୍ତେ ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥାକୁ ନେଇ ସଂପର୍କକୁ ଚିଠି ଲେଖିଲା OLRDS
ଚିଲିକା ମଇଁଷି ନାମକ ସ୍ବତନ୍ତ୍ର ପ୍ରଜାତିର ଦେଶୀୟ ମଇଁଷିକୁ ନେଇ ସଂପର୍କ ଅନୁଷ୍ଠାନ ତରଫରୁ ଦିଆଯାଇଥିବା ବିଭିନ୍ନ ଦାବି ଉପରେ ଓଡ଼ିଶା ଲାଇଭଷ୍ଟକ୍ ରିସର୍ଚ୍ଚ ଡେଭଲପମେଣ୍ଟ ସୋସାଇଟି (OLRDS) ନିଜର ମତ ରଖିଛନ୍ତି । ସଂପର୍କ ଅନୁଷ୍ଠାନ ତରଫରୁ ତରଫରୁ ମତ୍ସ୍ୟ ଓ ପ୍ରାଣସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭେଟି ଏ ନେଇ ଦାବି ପତ୍ର ଦିଆଯାଇଥିଲା । ସଂପର୍କର ସଧାରଣ ସଂପାଦକ୍ ସୌମେନ୍ଦ୍ର ଦାସଙ୍କୁ ଏନେଇ ଚିଠି କରିଛି OLRDS ।
ଚିଠିରେ ଉଲ୍ଲେଖ ଅଛି ଯେ, ଚିଲିକା ମଇଁଷି ପାଇଁ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯିବ। ସରକାରଙ୍କ ଅନୁମୋଦନ ପାଇଁ ଏକ ଡ୍ରାଫ୍ଟ କରାଯାଇଛି। ଚିଲିକା ମଇଁଷି ପାଇଁ ବହୁମୁଖି ଆଶ୍ରୟସ୍ଥଳ ନିର୍ମାଣ ନିମିତ୍ତ ସିପଳା, ବୁଦ୍ଧିବର, କୃଷ୍ଣପ୍ରସାଦ, ବିରିପଦର, ଅଁଳାକୁଦା, , ବଡବେଣାକୁଦି , ସିଆରା, ଗମ୍ଭାରୀ, ବାଙ୍କିଜଳ ଏବଂ ବାଘମୁଣ୍ଡା ଭଳି ଦଶଟି ସ୍ଥାନକୁ ଚୟନ କରାଯାଇଛି।

ସେହିପରି ଗୋ ସମ୍ପଦା ବୀମା ଯୋଜନା ଏବଂ ଜାତୀୟ ପଶୁପାଳନ ମିଶନ ଅଧୀନରେ ଚାଷୀମାନେ ସେମାନଙ୍କର ମଇଁଷିଗୁଡ଼ିକୁ ବୀମା କରିବାର ସୁବିଧା ପାଇପାରିବେ ଯେଉଁଠାରେ ଚାଷୀ, ବିମାଦେୟ ପରିମାଣର କେବଳ 15% ବହନ କରିବେ ଏବଂ ବାକି 85% ବିମାଦେୟ ସରକାର ପ୍ରଦାନ କରିବେ। ଚିଲିକା ମଇଁଷିର ମୃତ୍ୟୁ ପରେ ଚାଷୀ ବୀମା କମ୍ପାନୀଠାରୁ କ୍ଷତିପୂରଣ ଦାବି କରିପାରିବେ।
ଚିଲିକା ମଇଁଷିର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ ପାଇଁ ସରକାରଙ୍କ ନିକଟରେ ଏକ ନୂତନ ପ୍ରସ୍ତାବ ଦାଖଲ କରାଯାଇଛି, ଯେଉଁଠାରେ ଚିଲିକା ପ୍ରଜାତିର ମଇଁଷି ଚିହ୍ନଟ କରି ସେମାନଙ୍କ କାନରେ ଟ୍ୟାଗିଂଗ କରାଯିବ, ଉଚ୍ଚକୋଟୀର ଚିଲିକା ମଇଁଷି ଚୟନ କରି ଦେଉଥିବା କ୍ଷୀରର ପରିମାଣ ରେକର୍ଡିଂ କରାଯିବ ଏବଂ ତଦଅନୁଯାୟୀ ଚାଷୀମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି ।
ତେବେ ଏହି ଖବର ପାଇ ଚିଲିକା ମଇଁଷି ପାଳକ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ଏବଂ ଓଏଲଆରଡିସି ଅଧିକାରୀଙ୍କୁ ସଂପର୍କ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି ।
ତେବେ ଚିଲିକା ମଇଁଷି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ୍ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ଚିଲିକା ମଇଁଷି ପାଳନକୁ ସାମିଲ୍ କଲେ ଅଧିକରୁ ଅଧିକ ଯୁବପିଢି ଚିଲିକା ମଇଁଷି ପାଳନ କରିବାକୁ ଆଗ୍ରହୀ ହେବେ ଏବଂ ଚିଲିକା ମଇଁଷିର ସଂରକ୍ଷଣ ଓ ସମ୍ବର୍ଦ୍ଧନ ହୋଇପାରିବ । ଚିଲିକା ମଇଁଷିର ବ୍ୟାପକ ଗବେଷଣା ଏବଂ ଅନୁସନ୍ଧାନ କରିବା ପାଇଁ ସଂପର୍କ ଅନୁଷ୍ଠାନ ତରଫରୁ ଦାବି ରଖାଯାଇଛି ।
ଚିଲିକା ମଇଁଷି ପାଳନକାରୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ସରକାର ନିମ୍ନଲିଖିତ ଦାବି ପୁରଣ କରିବା ପାଇଁ ସଂପର୍କ ଅନୁଷ୍ଠାନ ତରଫରୁ ଦାବି ରଖିଛନ୍ତି ସୌମେନ୍ଦ୍ର ଦାସ, ରାକେଶ କୁମାର ବାରିକ ଓ ଉପେନ୍ଦ୍ର ଜେନା । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ହେତୁ ସବୁ ଅଞ୍ଚକରେ ଚିଲିକା ମଇଁଷି ପାଇଁ ପାଣିର ବ୍ୟବସ୍ଥା କରାଯିବା ନେଇ ଦାବି କରାଯାଇଛି । ସେହିପରି ଚିଲିକା ମଇଁଷି କ୍ଷୀରର ଗୁଣବତ୍ତାକୁ ଉପଲବ୍ଧି କରି ତାର ବଜାର ମୁଲ୍ୟ ବୃଦ୍ଧି କରିବାକୁ ଦାବି କରାଯାଇଛି ।
ଉନ୍ନତ ଚିଲିକା ମଇଁଷି ପାଳନ ଉପରେ ତାଲିମ, ଚିଲିକା ମଇଁଷି କ୍ଷୀରରୁ ପ୍ରସ୍ତୁତ ଦ୍ରବ୍ୟ ପାଇଁ ଉନ୍ନତ ବଜାର ସୃଷ୍ଟି , ମଇଁଷି ପାଳକ ମାନଙ୍କ ପାଇଁ କ୍ଷୁଦ୍ର ଆର୍ଥିକ ତଥା ଋଣ ସୁବିଧା, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ସମର୍ଥନ, ସମବାୟ ଗଠନ ଏବଂ ସାମୂହିକ ବିପଣନ, ମଇଁଷି ପାଳକ ମାନଙ୍କ ପାଇଁ ଉଦ୍ୟୋଗୀ ବିକାଶ ପ୍ରଶିକ୍ଷଣ ଶିବିର ପଶୁପାଳନ ସ୍ୱାସ୍ଥ୍ୟ ସେବା ଏବଂ ଟୀକାକରଣ କାର୍ଯ୍ୟକ୍ରମ, ପ୍ରଜାତି ସଂରକ୍ଷଣ କାର୍ଯ୍ୟକ୍ରମ, ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ, ସ୍ଥାୟୀ ଚାରଣ ଭୂମି ସୃଷ୍ଟି, ବିଭିନ୍ନ ପ୍ରକାରର ପଲିସି, ଶିକ୍ଷା ଏବଂ ସଚେତନତା, କ୍ରସ୍-ବ୍ରିଡ଼ିଙ୍ଗ ଯେପରି ନେହେବ ସେ ନେଇ ଦୃଷ୍ଟି ଦେବାକୁ ସଂପର୍କ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି।
ଚିଲିକା ମଇଁଷି ଏକ ସ୍ଵତନ୍ତ୍ର ପ୍ରଜାତିର ଦେଶୀୟ ମଇଁଷି । ଏହି ଦେଶୀୟ ପ୍ରଜାତି ଚିଲିକା ହ୍ରଦ ଚାରିପାଖର ଲୁଣିଆ ଏବଂ ମଧୁର ଜଳାଭୂମି ଉଭୟ ସହିତ ଖାପ ଖୁଆଇ ବଢିଥାଆନ୍ତି। ଚିଲିକା ମଇଁଷି କ୍ଷୀରରେ ଓମେଗା-3 ଫ୍ୟାଟି ଏସିଡ, ଭିଟାମିନ , ସ୍ନେହସାର ପ୍ରଚୁର ପରିମାଣରେ ଅଛି । ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିର ଅତ୍ୟଧିକ କ୍ଷମତା ରଖେ ।












Click it and Unblock the Notifications