ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ: ଦିନକରେ ୧୧ହଜାର କଇଁଛ ଦେଲେ ଅଣ୍ଡା
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପର୍ବ ଆରମ୍ଭ ହୋଇଛି । ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିଲା । ଯାହାକୁ ନେଇ ଚଳିତ ବର୍ଷକୁ ବିଶେଷଜ୍ଞ ମଧ୍ୟରେ ଆଶଙ୍କା ଦେଖାଦେଥିଲା ।
ବର୍ତମାନ ଦକ୍ଷିଣା ପବନର ଆଗମନ ଯୋଗୁଁ ଓ ପାଗର ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ରବିବାର ଭୋର ସମୟରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକକଇଁଛ ବେଳାଭୁମି ଉପରକୁ ଉଠିଆସି ଅଣ୍ଡା ଦେଇଛନ୍ତି । ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଗଣ ଅଣ୍ଡାଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ ଗୋଟି ମାଈ କଇଁଚ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ଗଣମାଧ୍ୟମକୁ ସୂଚନା ଦେଇଛି ।

ଅଣ୍ଡାଦାନ ପାଇଁ ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ବରେ ଥିବା ବାଲୁକା ଶଯ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ପାଇଁ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ବେଳାଭୂମିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଗତକାଲି ବିଳମ୍ବିତ ରାତିରୁ ଗଞ୍ଜାମ ବ୍ଲକ୍ ପାଲିବନ୍ଧ ପଞ୍ଚାୟତର ପୋଡ଼ମପେଟା ବେଳାଭୂମିରେ ଅଣ୍ଡାଦାନ ଆରମ୍ଭ ହୋଇଛି। ସେହିପରି ବନବିଭାଗ ତରଫରୁ ପୁରୁଣାବନ୍ଧ ଠାରୁ ଅଳେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬କିମି ବ୍ୟାରିକେଡ୍ କରି ଅଣ୍ଡାଦାନସ୍ଥଳୀକୁ ସୁରକ୍ଷିତ କରାଯାଇଛି। ଓଡ଼ିଶାର ଋଷିକୁଲ୍ୟା ମୁହାଣ ଅଲିଭ୍ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଅଣ୍ଡାଦାନ ପ୍ରକ୍ରିୟା ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିବେ। ଏଥିପାଇଁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖର୍ଙ୍କ ନେତୃତ୍ବରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଣ୍ଡାଦାନ ସ୍ଥଳକୁ ୫୦ଟି ଅଂଶରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଅଂଶରେ ବନ ବିଭାଗର କର୍ମଚାରୀ ସୁରକ୍ଷା ଦାୟିତ୍ବରେ ରହିଛନ୍ତି।












Click it and Unblock the Notifications