Olive Ridley turtle hatching at Gahiramatha beach: ସମୁଦ୍ର ଗର୍ଭକୁ ଫେରୁଛନ୍ତି କଇଁଛ ଶାବକ
ସମୁଦ୍ରକୁ ଫେରିଲେ ବିରଳ ଅଲିଭ ରିଡଲେ କଇଁଛ ଶାବକ । ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ଜଣା ଗହୀରମଥାର ବେଳାଭୂମିରେ ସାମୁହିକ ଅଣ୍ଡାଦାନ କରିଥିଲେ କଇଁଛ ସମୂହ । ଗତ ଦୁଇଦିନ ହେବ ଏହି ଅଣ୍ଡା ଗୁଡିକରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦିନରେ କଇଁଛ ଶାବକ ସମୁଦ୍ରକୁ ଯାଉଥିବା ସୂଚନା ଦେଇଛି ବନବିଭାଗ । ତେବେ ଲକ୍ଷାଧିକ କଇଁଛ ଶାବକ ସମୁଦ୍ର ଫେରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ଚଳିତବର୍ଷ ମାର୍ଚ୍ଚ ୫ରୁ ୮ ତାରିଖ ମଧ୍ୟରେ ଅଲିଭ ରିଡଲେ କଇଁଛ ମାନେ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମା'କଇଁଛ ସମୁଦ୍ରକୂଳ ଠାରୁ ନିରାପଦ ଦୂରତ୍ୱକୁ ଆସି ଗୋଟିଏ ଫୁଟରୁ ଦେଢ଼ ଫୁଟ ଗଭୀରର ଗାତ ଖୋଳି ଅଣ୍ଡା ଦେଇଥାନ୍ତି । ପ୍ରତ୍ୟେକ ମା' କଇଁଛ ଶହେରୁ ଅଧିକ ଅଣ୍ଡା ଦେଇ ସାରିବା ପରେ ଗାତକୁ ବାଲିରେ ଘୋଡାଇ ସମୁଦ୍ରକୁ ଚାଲି ଯାଇଥାନ୍ତି ।

ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡା ଗୁଡିକ ୪୫ ରୁ ୬୦ ଦିନ ମଧ୍ୟରେ ଫୁଟି ଥାଏ ଯେଉଁଥିରୁ ଶାବକ ବାହାରିଥାନ୍ତି ଏବଂ କଇଁଛ ଶାବକ ଗାତରୁ ବାହାରି ସିଧା ସମୁଦ୍ର ମଧ୍ୟକୁ ଯାଇଥାନ୍ତି । ସନ୍ଧ୍ୟାରୁ ସକାଳ ଯାଏ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ । ଆଲୋକ ପଡିଲେ କଇଁଛ ଶାବକ ଏଣେତେଣେ ଚାଲିଯିବାର ସମ୍ଭାବନା ଥିବାରୁ ନିକଟସ୍ଥ ଅବଦୁଲ କଲାମ ଦ୍ୱୀପର ଉଜ୍ଜ୍ୱଳ ଆଲୋକକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଥାଏ ।
କଇଁଛ ଛୁଆ ଗୁଡିକୁ କୁକୁର,ବିଲୁଆ ଓ ଶିକାରୀ ପକ୍ଷୀମାନେ ଖାଇଯିବାର ଆଶଙ୍କା ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କଡା ନିରାପତ୍ତା ଗ୍ରହଣ କରାଯାଇଥାଏ ।' ଏନେଇ ସୂଚନା ଦେଇ ବନବିଭାଗ କର୍ମଚାରୀ କପିଳେନ୍ଦ୍ର ପ୍ରଧାନ ଏହି ଶାବକ ମାନଙ୍କ ସମୁଦ୍ରକୁ ଯିବା ଆହୁରି କିଛିଦିନ ଲାଗିବ ବୋଲି କହିଛନ୍ତି ।












Click it and Unblock the Notifications