ରାଜ୍ୟରେ ଆଜି ମଧ୍ୟ କୋହଲା ପାଗ: ସମ୍ବଲପୁରରେ ସର୍ବାଧିକ ବର୍ଷା ରେକର୍ଡ, ବଢିବ ଶୀତ
Odisha Weather Update: ରାଜ୍ୟରେ ଆଜି ମଧ୍ୟ କୋହଲା ପାଗ । କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଲାଗି ରହିଥି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଟ୍ୱିନ୍ ସିଟି କଟକ-ଭୁବନେଶ୍ୱରରେ ହାଲୁକା ବର୍ଷା ହେଉଛି । ଉତ୍ତର ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟରେ ଜମିଛି ପାଣି ଏବଂ ଚାଶ ଜମି ଜଳମଗ୍ନ ।
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୨୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଅତାବିରା ୨୪.୨, ନୟାଗଡ଼ ୨୧.୬ ଏବଂ ବିଜେପୁରରେ ୧୮ ମିମି, ଡୁଙ୍ଗୁରିପାଲ ୧୭.୧, ଉଲୁଣ୍ତାରେ ୧୬.୨ ରେଢାଖୋଲରେ ୧୬ ମିମି ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କିଛି ଖାସ ପରିବର୍ତ୍ତନ ହେବ ନାହିଁ । ହେଲେ ୨୫ ତାରିଖ ରାତି ପର୍ଯ୍ୟନ୍ତ ଏପରି ହାଲୁକା ବର୍ଷା ଲାଗିରହିବ । ସେହିପରି ୨୬ ତାରିଖକୁ ଶୀତ ବଢିବା ସହ ରାତିର ତାପମାତ୍ରା ୨ ରୁ ୩ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।
ବର୍ଷା ଛାଡିବା ପୁଣି ରାଜ୍ୟରେ ଶୀତ ଲହରୀ ଫେରିବାର ସମ୍ଭାବନା ରହିଛି । ଗତ ଦୁଇ ଦିନ ହେଲ ରାଜ୍ୟର ଅନେକ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି । ଆସନ୍ତା ୨୫ତାରିଖ ଯାଏଁ ଗୁରୁଚାପ ବଳୟର ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖ ପରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି ।
ସେହିପରି ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବୁଧବାର ଦିନ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହିପରି ପାର୍ବତ୍ୟାଞ୍ଚଳରୁ ଆସୁଥିବା ଶୀତଳ ପବନର ପ୍ରଭାବନରେ ଉତ୍ତର ଭାରତର ଶୀତ ଲହରୀ ଜାରି ରହିଛି। ବିହାରରେ ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ଦିନରେ ସୂର୍ଯ୍ୟକିରଣ ପଡିବା ଅସମ୍ଭବ ହୋଇ ପଡ଼ିଛି। ସେହିପରି ମଧ୍ୟ ଭାରତ ଓ ପୂର୍ବ ଭାରତରେ ଶୀତ ଲହରୀ ବଢିବାରେ ଲାଗିଛି।












Click it and Unblock the Notifications