ଜାଡ଼ରୁ ମିଳିବ ତ୍ରାହି: ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି
ହାଡ଼ ଭଙ୍ଗା ଶୀତରୁ ଏବେ ସାମାନ୍ୟ ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବା ବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି।
ଭୁବନେଶ୍ବର: ହାଡ଼ ଭଙ୍ଗା ଶୀତରୁ ଏବେ ସାମାନ୍ୟ ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶୀତର ପ୍ରକୋପ କମିବ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବା ବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି। ଏହାଦ୍ୱାରା ତାପମାତ୍ରା ବଢ଼଼ିବା ଆରମ୍ଭ ହୋଇଛି । ଆସନ୍ତା ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ଯାଏ ତାପମାତ୍ରା ବଢିପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଶୀତ କମିବା ସହିତ ରାଜ୍ୟକୁ ପ୍ରବେଶ କରୁଥିବା ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ପୁଣି ଥରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରକୋପ ଦେଖାଯିବ। ବିଶେଷ କରି କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ କୁହୁଡ଼ିର ପ୍ରକୋପ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
ରବିବାର ତୁଳନାରେ ସୋମବାର ଶୀତର ପ୍ରକୋପ କମିଥିଲେ ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା ।
ସୋମବାର ଦିନ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ଡିଗ୍ରି ରେକର୍ଡ ହୋଇଛି । ଏଥିସହ ୧୪ ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ରହିଥିଲା । କିରେଇରେ ରାତି ତାପମାତ୍ରା ୪.୩ ଡିଗ୍ରି, ଫୁଲବାଣୀରେ ୪.୯ ଡିଗ୍ରି, ଜି. ଉଦୟଗିରିଠାରେ ୫ ଡିଗ୍ରି, କୋରାପୁଟରେ ୬.୫ ଡିଗ୍ରି, ସୁନ୍ଦରଗଡ଼ରେ ୭ ଡିଗ୍ରି, ଭବାନୀପାଟଣା, ଦାରିଙ୍ଗବାଡ଼ି ଓ ଢେଙ୍କାନାଳରେ ୭.୫ ଡିଗ୍ରି, ଝାରସୁଗୁଡ଼ାରେ ୭.୮ ଡିଗ୍ରି, କେନ୍ଦୁଝରଗଡ଼ରେ ୮.୪ ଡିଗ୍ରି, ବଲାଙ୍ଗୀରରେ ୮.୮ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି ଓ ମହିଷାପାଟରେ ୯.୮ ଡିଗ୍ରି ରେକର୍ଡ କରାଯାଇଛି ।
ସେପଟେ ଶୀତ ପ୍ରକୋପ କମିବା ସହ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ । ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ଓ ପାଗ ଖରାଟିଆ ରହିବ। ଦିନରେ ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ୧୩ ଡିଗ୍ରି ରହିବ।












Click it and Unblock the Notifications