ଟୁଇନ ସିଟି ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ
ଟୁଇନ ସିଟି ଭୁବନେଶ୍ବର ଓ କଟକ ପାଇଁ ୟେଲୋ ୱାର୍ଣ୍ଣିଂ । ଘଡ଼ଘଡ଼ି ସହ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ । ଟୁଇନ୍ ସିଟି ସମେତ ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀକୁ ୱାର୍ଣ୍ଣିଂ ।

ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆହୁରୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ବିଶେଷକରି, ଉତ୍ତର ଓଡି଼ଶାରେ ଏହାର ପ୍ରଭାବ ଅଧିକ ରହିବ। କାହିଁକିନା, ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ- ଉତ୍ତର ଦିଗରେ ଝାଡଖଣ୍ତ ଆଡ଼କୁ ଗତି କରିବ। ଯାହା ଫଳରେ ଆଜି ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।
ବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେପଟେ, ପ୍ରବଳ ବର୍ଷା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏହାବ୍ୟତୀତ କିଛି ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ, ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀ ଫୁଲିବାରେ ଲାଗିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ନଦୀ କୂଳଆ ଲୋକ।
ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀ। ବିପଦ ସଂକେତ ୧୦.୩୬ ମିଟର, ଏବେ ୧୧.୫୮ ମି ପ୍ରବାହିତ। ପାଣି ଘେରରେ ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ଏକାଧିକ ଗାଁ। ଭୋଗରାଇର ୩୦ ଗାଁ, ବାଲିଆପାଳର ୨୫ ଗାଁ, ବସ୍ତାର ୨୫ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।
ଗତ ୪ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଢ଼ାବଳଙ୍ଗ,ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦସଙ୍କେତ ୧୦.୩୬ମିଟର ଥିବାବେଳେ ଏବେ ଜଳସ୍ତର ୧୦.୭୦ମିଟର ପ୍ରବାହିତ ହେଉଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ପୂର୍ବାନୁମାନ ଅନୁସାରେ ସୁବର୍ଣ୍ଣରେଖା ନଦୀରେ ୧୦.୯୫ମିଟର ସ୍ତରରେ ଜଳ ପ୍ରବାହିତ ହୋଇପାରେ । ଯାହାକି ସର୍ବୋଚ୍ଚ ଜଳପ୍ରବାହ ସ୍ତର ଅଟେ ଓ ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବସ୍ତା,ଭୋଗରାଇ ଓ ବାଲିଆପାଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେବ । ବୈତରଣୀ ନଦୀରେ ଆଖୁଆପଦାଠାରେ ବିପଦସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ସେଠାରେ ଜଳସ୍ତର ୧୮ମିଟର ରହିଛି । ସେହିପରି ବୁଢ଼ାବଳଙ୍ଗ ନଦୀର ଜାତୀୟ ରାଜପଥ ନମ୍ବର-୫ର ଗୋବିନ୍ଦପୁରଠାରେ ବିପଦସଙ୍କେତ ୮.୧୩ମିଟର ଥିବାବେଳେ ଏବେ ଜଳସ୍ତର ୭.୫୨ମିଟରରେ ପ୍ରବାହିତ ହେଉଛି । ସେହିପରି ଜଳକା ନଦୀର ମଥାନୀଠାରେ ବିପଦସଙ୍କେତ ୬.୫୦ମିଟର ଥିବାବେଳେ ଜଳସ୍ତର ୬.୭୬ମିଟରରେ ପ୍ରବାହିତ ହେଉଛି ।












Click it and Unblock the Notifications