Odisha Weather: ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ
ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଆଡ଼କୁ ଗତି କରିବ । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୋଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ପାଇଁ କିଛି ସ୍ଥାନରେ ଫ୍ଲାସଫ୍ଲଡ କିମ୍ବା ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ରହିଛି।
ସେପଟେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍ କରିଛି । ଜାମଶୋଳାଘାଟଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି। ସେହିଭଳି ମଥାନି ରୋଡ୍ ବ୍ରିଜ୍ ପାଖରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢୁଛି । ସୋମବାର ସ୍ୱତନ୍ତ୍ର ରିଲିଫ କମିଶନର ବାଲେଶ୍ୱର ଜିଲ୍ଲା ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ର ସ୍ଥିତି ସମୀକ୍ଷା କରିଛନ୍ତି । ବାଲେଶ୍ୱରରେ ୧୦ଟି ଅଗ୍ନିଶମ ଟିମ୍, ୬ଟି ଓଡ୍ରାଫ ଟିମ୍ ଓ ଗୋଟିଏ ଏନଡିଆରଏଫ ଟିମ୍କୁ ପ୍ରସ୍ତୁତ ରଖାଯାଇଛି ।

ସେହିଭଳି ମୟୂରଭଞ୍ଜରେ ୧୨ଟି ଅଗ୍ନିଶମ, ୭ଟି ଓଡ୍ରାଫ୍ ଓ ୧ଟି ଏନଡିଆରଏଫ ଟିମ୍ ରଖାଯାଇଛି । ଅଧିକ ବର୍ଷା ହୋଇଥିବାରୁ ଶିମିଳିପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଛି । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ।
ମଙ୍ଗଳବାର ପୂର୍ବାହ୍ନ ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଉତ୍ତର ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଗଭୀର ଅବପାତ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ମଙ୍ଗଳବାର ମଧ୍ୟାହ୍ନଠାରୁ ବର୍ଷା ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଗାମୀ ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଯାଜପୁର। ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ।
ଆଗାମୀ ୩ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ବଜ୍ରପାତ ହେବ ବୋଲି ଜଣାପଡିଛି। ଏଠିକାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନବାହାରିବା ସହ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications