Odisha Weather: ରାଜ୍ୟରେ ବଢିବ ଶୀତ; ୩ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ
ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ।
ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରେକର୍ଡ କରାଯାଉଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ କମ୍ ରହୁଛି।

ଆସନ୍ତା ୧୬ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ। ବୁଧବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟାନ୍ୟ ସ୍ଥାନରେ ପାଗ ପ୍ରାୟ ଶୁଖିଲା ରହିବ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ମାତ୍ର ପରବର୍ତ୍ତୀ ୪ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ।
କମିବ ତାପମାତ୍ରା:
ସେପଟେ ଆଗାମୀ ୩ ଦିନ ଯାଏଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତ୍ତନ ହେବାକୁ ନଥିବା ବେଳେ ୩ ଦିନ ପରେ ୨ ରୁ ୫ ଡିଗ୍ରୀ ଯାଏଁ କମିବାର ସମ୍ଭାବନା ଦେଇଛି ପାଣିପାଗ । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡ଼ିବ ଶୀତ । ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ପରେ ଅନ୍ୟ ଅଂଚଳରେ ଅନୁଭବ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି । ଆଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ହେବ ।
ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା:
ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ଦିନର ତାପମାତ୍ରା ୩୧.୦୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, ରାତି ତାପମାତ୍ରା ୨୨.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି କଟକରେ ଦିନର ତାପମାତ୍ରା ୨୯.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାତିର ତାପମାତ୍ରା ୨୧ ଡିଗ୍ରୀ ରେକର୍ଡ ହୋଇଛି












Click it and Unblock the Notifications