ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷିବ, ରେଡ୍ ଓ୍ବାର୍ଣ୍ଣିଂ ଜାରି
ପାଣିପାଗକୁ ନେଇ ପୁଣି ବଡ଼ ଅପଡେଟ୍ । ପାଣିପାଗ ବିଭା ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ ଲଘୁଚାପ। ଏ ନେଇ ଅପଡେଟ୍ ଦେଇଛି ପାଣିପାଗ ବିଭାଗ ।

Heavy Rainfall Alert: ଲଘୁଚାପ ପ୍ରଭାବରେ ହେବ ପ୍ରବଳ ବର୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ପରେ ବଢୁଛି ଚିନ୍ତା। ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ବଢୁଛି ଭୟ।
ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ । ଯେଉଁଥି ପାଇଁକି ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ ଓ ସମ୍ବଲପୁରରେ ୨୦୦ ମିଲି ମିଟର ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରିବା ସହ ରେଡ୍ ଆଲର୍ଟ ଜାରି ହୋଇଛି।
ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ୪ ଜିଲ୍ଲା ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବ । ତେରୁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ସେହିଭଳି ୧୩ ଜିଲ୍ଳାରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହିତ ଅରେଞ୍ଜ ଆଲର୍ଟ ଜାରି କରିଛି । ୧୩ ଜିଲ୍ଲା ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଦେଓଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ, ସୋନପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ ।
ଆସନ୍ତାକାଲି ମଧ୍ୟ ପଶ୍ଚିମ ଆଭ୍ୟନ୍ତରୀଣ ସହ ଉତ୍ତର ଉପକୂଳରେ ହେବ ବର୍ଷା। କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଆସନ୍ତା ୧୩ ତାରିଖ ଯାଏଁ ବର୍ଷା ଲାଗି ରହିବ। ୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ। ଯାହାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।












Click it and Unblock the Notifications