କାଳବୈଶାଖୀ ବର୍ଷାରେ ଭିଜିବ ଅଧା ରାଜ୍ୟ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ତାତରୁ ମିଳିବ ତ୍ରାହି । କାରଣ କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ବର୍ଷା ପାଇଁ ୧୫ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ୪ ଜିଲ୍ଲା ତଥା କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜରେ କୁଆପଥର ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ ।

ସେହିପରି ଆସନ୍ତାକାଲି ରାଜ୍ୟର କିଛି ସ୍ଥାନ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ସେହି ସମୟରେ ୪୦ରୁ ୫୦ କିମି ପବନ ବହିବା ସହ କୂଆପଥର ବର୍ଷାର ସମ୍ଭାବନା ରହିଥିବା ଆକଳନ କରିଛି ବିଭାଗ । ୬ ଜିଲ୍ଲା ଯେପରିକି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସହ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୫ ଦିନ ଯାଏଁ ଏଭଳି ପାଗ ଜାରି ରହିବ । କାରଣ ପଶ୍ଚିମ ବିଦର୍ଭରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ମରାଠାଓ୍ଵାଡା ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଉପର ଦେଇ ଏକ ଟ୍ରଫ୍ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ତିନିଦିନ ଧରି କାଳବୈଶାଖୀ ସମ୍ଭାବନା ରହିଛି । ମେ' ୨ ତାରିଖ ଯାଏ ଏହିପରି ପାଗ ଲାଗି ରହିବ । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ହ୍ରାସ ଘଟିବ ।
ଅନ୍ୟପଟେ ଖରା ବା ତାତି ସହ ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସ୍ୱାଭାବିକ ତାପମାତ୍ରା ସହ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।












Click it and Unblock the Notifications