ମୌସୁମୀ ପ୍ରଭାବ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ପ୍ରଭାବରେ ବର୍ଷା। ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ଯାଏଁ ସମୁଦ୍ରପତ୍ତନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ, ସୁନ୍ଦରଗଡ଼, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ମାଲକାନଗିରି ଓ କୋରାପୁଟ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏହାସହ ରାଜ୍ୟରେ ଗତକାଲି ସୁଦ୍ଧା ସ୍ୱାଭାବିକ ବର୍ଷା ହୋଇଥିବା ତଥ୍ୟ ପ୍ରକାଶ କରିଛି ପାଣିପାଗ ବିଭାଗ । ଗତକାଲି ସୁଦ୍ଧା ରାଜ୍ୟରେ ୧୩୯ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଛି । ୨ ଜିଲ୍ଲା ସୁନ୍ଦରଗଡ଼ ଏବଂ କୋରାପୁଟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୧ ଦଶମିକ ୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସବୁଠାରୁ କମ ୬୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ସେହିପରି ୨୪ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବା ବେଳେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏଯାବତ ନୟାଗଡ଼ରେ ସର୍ବାଧିକ ୩୭.୦ଡିଗ୍ରି ସେଲସିୟସ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୬.୫ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।












Click it and Unblock the Notifications