ଆଜିଠୁ ବଢିବ ବର୍ଷା, ଆସନ୍ତା 4 ଦିନ ଯାଏଁ ପ୍ରବଳ ବର୍ଷିବ
ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ୱର: ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ୍ ଲମ୍ବିଛି । ଯାହା ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ଉପରେ ରହିଛି । ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସକ୍ରିୟ ରହିଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାବାଦ୍ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବୁଧବାର ଓ ଗୁରୁବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।
ସେପଟେ ଜୁନ ୧ରୁ ୨୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୩୬ ଦଶମିକ ୨ମିଲିମିଟର ବର୍ଷା ରେକର୍ଡ ହୋଇଛି । ୫ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ କମ୍ ବର୍ଷା ହୋଇଛି । ସେହିପରି ୭ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ଓ ୬ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ସ୍ବାଭାବିକ ହୋଇଛି ।












Click it and Unblock the Notifications