Odisha Weather: ୩୧ ଯାଏଁ ତାତି, ୪୦ଂ ଟପିଲା ୮ ସହର
ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା'ଠାରୁ ଅଧିକ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୦.୧, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ଼ରେ ୪୦ ଡିଗ୍ରି ରେକର୍ଡ କରାଯାଇଛି।
ଭୁବନେଶ୍ବର ତାପମାତ୍ରା ୩୮.୫ ଡିଗ୍ରିରେ ପହଞ୍ଚିଛି। ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।

ପଶ୍ଚିମ ଓଡ଼ିଶାର ସମସ୍ତ ସହର ଉତ୍ତପ୍ତ ହେବା ସହ ସ୍ଥାନେ ସ୍ଥାନେ ୪୫ ଡିଗ୍ରି ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆହୁରି କୁହାଯାଇଛି ଯେ ୨୮ ତାରିଖରେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରିରେ ପହଞ୍ଚିବାର ଆଶଙ୍କା ରହିଛି। କଟକ ଓ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ପାରଦ ୪୦ ଡିଗ୍ରି ପାଖାପାଖି ରହିବ। ୨୯ ଓ ୩୦ ତାରିଖରେ ତାତି ଆହୁରି ବଢ଼ିବ। ଝାରସୁଗୁଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼, ରାଉରକେଲା, ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଟପିବାକୁ ଥିବା ବେଳେ ସମ୍ବଲପୁର, ବୌଦ୍ଧ, ସୋନପୁର, ଟିଟିଲାଗଡ଼ ଓ ଭାବାନୀପାଟଣାରେ ୪୨ ଡିଗ୍ରି ଛୁଇଁପାରେ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ପାଞ୍ଚ ଘଟିକାରୁ ଆଠ ଘଟିକା ମଧ୍ୟରେ ବଣ୍ଟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି।
ଖରା ଦାଉରୁ ରକ୍ଷା ପାଇବା ପାଇଁ ହିତାଧିକାରୀ ମାନଙ୍କ ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓଆରଏସ ମହଜୁଦ ଭଳି ବ୍ୟାପକ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି। ସେହିଭଳି ଚାଉଳ ଉଠାଣ ଓ ବିତରଣ କେନ୍ଦ୍ର ଗୁଡିକରେ ନିୟୋଜିତ ଶ୍ରମିକ ମାନଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ହିତାଧିକାରୀ ଏବଂ ନିୟୋଜିତ ଶ୍ରମିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସରକାରୀ ସୁଲଭ ମୂଲ୍ୟ ଦୋକାନ ଏବଂ ଚାଉଳ ବିତରଣ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ସୂଚନା ପତ୍ର ବଣ୍ଟନ ଓ ପୋଷ୍ଟର ଲଗାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏତଦବ୍ୟତୀତ ପ୍ରସ୍ତୁତି ପୂର୍ବକ ସଜାଗ ରହି କାର୍ଯ୍ୟ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications