ପଶ୍ଚିମା ଝଡ଼ ପ୍ରଭାବ:ଏପ୍ରିଲ୍ ୧ ଯାଏଁ ଝଡ଼ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଲାଗି ରହିଛି । ଆଜି ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟକୁ ଆଉ ଏକ ପଶ୍ଚିମାଝଡ଼ ଛୁଇଁବ ଯାହାର ପ୍ରଭାବ ଆସନ୍ତାକାଲିଠୁ ଦେଖିବା ପାଇଁ ମିଳିବ । ଏପ୍ରିଲ୍ ୧ ପର୍ଯ୍ୟନ୍ତ ଝଡ଼ ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ସେହିପରି ୩୧ ତାରିଖର ସର୍ବାଧିକ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଝଡ଼ପବନ ସହ ୭ରୁ ୧୧ ସେଣ୍ଟିମିଟର ବର୍ଷା ଏବଂ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
ମଙ୍ଗଳବାର ଦିନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାରେ ପଶ୍ଚିମାଝଡ଼ ପ୍ରଭାବ ଦେଖିବା ପାଇଁ ମିଳିଥିଲା । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସେହିପରି ଆଜି ମଧ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଏବଂ ଖୋର୍ଦ୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୩୧ ତାରିଖ ଦିନ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷିବ। କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ ୭୦ରୁ ୧୧୦ ମିମି ଯାଏ ବର୍ଷା ସମ୍ଭାବନା ରହିଛି । ସେହିଭଳି ଉତ୍ତର ଉପକୂଳ ଓଡ଼ିଶାର ୬ ଯଥା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କନାଳ, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ଝଡ଼, ପବନ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ସେହିପରି ଏପ୍ରିଲ୍ ୧ ତାରିଖରେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା, ପବନ ଲାଗିରହିବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୩ଦିନ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications