ଆଜିଠୁ କଲବଲ କରିବ ତାତି: ଦିନ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଟପିଲା ପାରଦ
ଭୁବନେଶ୍ୱର: ଆଜିଠୁ ବଢିଲା ତାତି । ଏଣିତି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ୧୧ଟା ସୁଦ୍ଧା ବିଭିନ୍ନ ସ୍ଥାନରେ ୩୭ ଡିଗ୍ରୀ ଟପିଲା ପାରଦ ।
ଆଜି ସକାଳ ସାଢ଼େ ୮ ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ର ୩୧ଡିଗ୍ରୀ ଛୁଇଁଥିଲା ବେଳେ ଦିନ ୧୧ଟା ସୁଦ୍ଧା ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ମଧ୍ୟ ତାପମାତ୍ରା ୩୭ .୨ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସେହିପରି ଚାନ୍ଦବାଲିରେ ୩୭ ଡ଼ିଗ୍ରୀ ,ବାଲେଶ୍ୱରରେ ୩୬ ଡ଼ିଗ୍ରୀ ,ସମ୍ବଲପୁରେ ୩୬ ଡ଼ିଗ୍ରୀ,ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ ଓ ଗୋପାଳପୁରରେ ୩୫ ଡ଼ିଗ୍ରୀ ତାପମାତ୍ରା ରହିଛି । ପୁରୀରେ ୩୪ ଡ଼ିଗ୍ରୀ ଥିବା ବେଳେ ପାରାଦୀପରେ ୩୨.୮ ଡ଼ିଗ୍ରୀ ରହିଛି।
ସେପଟେ ରାଜ୍ୟରେ ଆଜି କେତେକ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା କୁ ୱାର୍ଣ୍ଣିଂ ଜାରି ହୋଇଛି । ଏ-ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ ଆଗାମୀ ୨ରୁ ୩ ଦିନ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୩ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ ଡିଗ୍ରି ଯାଏ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ।












Click it and Unblock the Notifications