ଆସୁଛି ଦୁଇଟି ଲଘୁଚାପ, ୧୪ରୁ ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଚଳିତ ମାସରେ ଦୁଇଟି ଲଘୁଚାପ ହେବାର ସମ୍ବାବନା ରହିଛି । ୧୮ରୁ ୨୧ ମଧ୍ୟରେ ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ଅଧିକ ବର୍ଷା ହେବ । ସେହିପରି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଏହାର ପ୍ରଭାବରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଡଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବଦିଗରେ ଅରୁଣାଚଳ ପ୍ରଦେଶ ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳରେ ୦.୯ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୧୪ ତାରିଖରୁ ବର୍ଷା ବଢ଼ିବାକୁ ଥିବାବେଳେ ୧୬ ତାରିଖରୁ ସାରା ରାଜ୍ୟରେ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ଦଶମିକ ୧ ପ୍ରତିଶତ ଅଧିକ ରହିଛି । ଆଜି ଅପରାହ୍ନ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ୧୭ ଜିଲ୍ଲାର ବର୍ଷା ସ୍ଥିତି ନିଅଣ୍ଟ ଥିବାବେଳେ ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଏଯାଏ ୨୩୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୩୧୪ ମିଲିମିଟର ତୁଳନାରେ ୨୬ ପ୍ରତିଶତ କମ୍ । ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ବାଭାବିକ ବର୍ଷା ତୁଳନାରେ ୪୫ ପ୍ରତିଶତ ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫ ମିଲିମିଟର ସହ ସବୁଠାରୁ କମ୍ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪ ପ୍ରତିଶତ କମ୍ ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୬ଟି ଜିଲ୍ଲାରେ ଏହି ସମୟ ଅବଧି ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି ସ୍ଥଳ ବିଶେଷରେ ବର୍ଷାର ପରିମାଣ ୭ରୁ ୧୧ ମିମି ପର୍ଯ୍ୟନ୍ତ ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।












Click it and Unblock the Notifications