ଆଜିଠୁ ୩ ଦିନ କାଳବୈଶାଖୀ ବର୍ଷା ସହ ପବନ

ଭୁବନେଶ୍ବର: ଆଜିଠୁ ଆସୁଛି କାଳବୈଶାଖୀ ଝଡ଼ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ବର୍ଷା ସହ ପବନ ବହିବାର ସମ୍ବାର ରହିଛି । ଆଜି ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।
ଏନେଇ ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳା, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେହିପରି କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଏଥିପାଇଁ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ । ସେହିଭଳି କୁଆପଥର ବୃଷ୍ଟି ନେଇ ୪ଟି ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।
ସେହିପରି ୨୮ ଓ ୨୯ ତାରିଖରେ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ନେଇ ଆକଳନ କରିଛି ପାଣିପାଗ ବିଭାଗ । ୨୮ ତାରିଖରେ କାଳବୈଶାଖୀ ବର୍ଷା ନେଇ ଉତ୍ତର ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ୩୦ ତାରିଖ ବେଳକୁ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ ଉତ୍ତରପଶ୍ଚିମ ଭାରତ ଉପରେ ରହିବ । ଏହା ପ୍ରଭାବରେ ଏପ୍ରିଲ ପ୍ରଥମ ସପ୍ତାହରେ ବି ବର୍ଷା ହେବା ସହ ତାପମାତ୍ରା କମ୍ ରହିବ ବୋଲି ଆକଳନ କରାଯାଇଛି ।
ସୂଚନାଥାଉ କି, ଗତ ସପ୍ତାହରେ ପଶ୍ଚିମାଝଡ ପ୍ରଭାବ ସାରା ରାଜ୍ୟରେ ପଡିଥିଲା । ଉପକୂଳବର୍ତୀ ଜିଲ୍ଲାଗୁଡିକରେ ପଶ୍ଚିମା ଝଡ ପ୍ରଭାବରେ ବ୍ୟାପକ ବର୍ଷା ହୋଇଥିଲା । ଏଥିପାଇଁ କିଛି ସ୍ଥାନରେ ଫସଲ ନଷ୍ଟ ବି ହୋଇଥିଲା ।












Click it and Unblock the Notifications