ସାବଧାନ!! ଆସୁଛି ବଡ଼ ବର୍ଷା, ଆସନ୍ତା ଦୁଇ ଦିନ ପ୍ରବଳ ଛେଚିବ
ଭୁବନେଶ୍ୱର: ଆଗକୁ ଆସୁଛି ବଡ଼ ବର୍ଷା । ଆସନ୍ତା ଦୁଇ ଦିନ ଧରି ପ୍ରବଳ ଛେଚିବ । ନିଅଣ୍ଟିଆ ମୈସୁମୀ ବର୍ଷାର ଭରଣା କରିବ ଏହି ବର୍ଷା । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ ।
ଆଉ ଯାହା ପରେ ଘନୀଭୂତ ହୋଇ ୨୬ ଜୁଲାଇ ବେଳକୁ ଚଳିତ ମୌସୁମୀ ଋତୁର ପ୍ରଥମ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୨୬ ଓ ୨୭ ଦୁଇନ ଦିନ ଧରି ସାରା ରାଜ୍ୟ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତା ୩ ଦିନ ପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକ ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।

ମୌସୁମୀ ନିମ୍ନଚାପ ରେଖା ଆଜି ଗୁଜୁରାଟର ଦେସାରୁ ବାହାରି ଇନ୍ଦୋର, ଦାମୋହ, ପେନ୍ଦ୍ରାରୋଡ଼ ଏବଂ ଓଡ଼ିଶା ଗୋପାଳପୁରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ।
ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହାର ପାଶ୍ବବର୍ତ୍ତୀ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ତେବେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପଟେ ଚଳିତ ମୌସୁମୀ ଋତୁରେ, ୧ ଜୁନ୍ରୁ ଆଜି ୨୪ ଜୁଲାଇ ସୁଦ୍ଧା ରାଜ୍ୟରେ ୪୦୮ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ଵାଭାବିକ ବର୍ଷା ୪୬୬.୭ ମିମି ତୁଳନାରେ ୧୩ ପ୍ରତିଶତ କମ ରହିଛି ଯାହାକି ସ୍ୱାଭାବିକ ପରିସର ଭୁକ୍ତ । ଏହି ଅବଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୬୯୬.୮ ମିମି ସହ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।
ସେପଟେ ମହାନଦୀ ଉପରମୁଣ୍ଡରେ ବଡ ବର୍ଷା ଥିଲେ ମଧ୍ୟ ଖୋଲିଛି ହୀରାକୁଦର ଆଉ ୩ ଟି ଗେଟ୍ । ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ୬୧୪ ଫୁଟ ଉପରେ ରହିଛି ଜଳଭଣ୍ଡାରର ଜଳସ୍ତର । ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮ ହଜାର ୭୦୫ ଘନ ଫୁଟ ଜଳ ପ୍ରବେଶ କରୁଛି ।












Click it and Unblock the Notifications